ଖଣି ଖନନକୁ ନେଇ ଗର୍ଜୁଛନ୍ତି ନିୟମଗିରି ଜନତା । ରାୟଗଡା କାଶୀପୁରରେ ବକ୍ସାଇଟ୍ ଖନନକୁ ବିରୋଧ । କମ୍ପାନୀ ନକଲେ, ଖଣି ଦେବାକୁ ନାରାଜ

121

କନକ ବ୍ୟୁରୋ: ଖଣି ଖନନକୁ ନେଇ ପୁଣି ଅଶାନ୍ତ ରାୟଗଡାର କାଶୀପୁର ଅଞ୍ଚଳ । କାଶିପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବକ୍ସାଇଟ୍ ଖନନକୁ ଗ୍ରାମବାସୀଙ୍କ ବିରୋଧ ଜାରି ରହିଛି । ସେପଟେ ଗ୍ରାମବାସୀଙ୍କ ନାଁରେ ୟୁଏପିଏ ପରି ସଙ୍ଗିନ ଦଫା ଲଗାଇ ଗିରଫ କରାଯାଉଥିବା ଅଭିଯୋଗ ହୋଇଛି । ବିନା ଗ୍ରାମସଭା, ପଲ୍ଲୀସଭାରେ କୌଣସି କାଗଜ ପତ୍ର ନଥାଇ ଏକ ଘରୋଇ କମ୍ପାନୀ ଗାଁକୁ ଗାଁ ବୁଲି ଲୋକଙ୍କୁ ପ୍ରବର୍ତ୍ତାଉଛି । ଆଉ ଏହାର ପ୍ରତିବାଦ କଲେ କମ୍ପାନୀ ପକ୍ଷରୁ ପୁଲିସ ଲଗାଇ ଦମନ କରାଯାଉଥିବା ଅଭିଯୋଗ କରିଛି ନିୟମଗିରି ସୁରକ୍ଷା ମଞ୍ଚ ।

  • ଅଶାନ୍ତ ରାୟଗଡା 
  • କାଶୀପୁରବାସୀଙ୍କ ରଣହୁଙ୍କାର 
  • ନିୟମଗିରିରେ ଉତେଜନା 

ରାୟଗଡା ଜିଲ୍ଲାର ଖଣି ଅଞ୍ଚଳରେ ଶୁଭୁଛି ଆଦିବାସୀଙ୍କ ଗର୍ଜନ । ଖଣି ଖନନକୁ ନେଇ ବର୍ଷ ବର୍ଷ ଧରି ଉତେଜନା ଲାଗି ରହିଛି । ଆଉ ଏହାରି ଭିତରେ କାଶୀପୁର ବ୍ଲକରେ ବେଦାନ୍ତ କମ୍ପାନୀ ପାଇଁ ସିଜିମାଳି ବକ୍ସାଇଟ୍ ଖନନକୁ ବିରୋଧ କରୁଛନ୍ତି ଗ୍ରାମବାସୀ । ଗ୍ରାମସଭା ନକରି, କୌଣସି କାଗଜପତ୍ର ନଥାଇ କାହିଁକି ମୈତ୍ରୀ ନାମକ ଏକ କମ୍ପାନୀ ବାରମ୍ବାର ଗାଁକୁ ଧସେଇ ପଶିବାକୁ ଉଦ୍ୟମ କରୁଛି । ତାକୁ ନେଇ ମାସେ ହେବ କାଶିପୁର ଓ କଳାହାଣ୍ଡି ସୀମାରେ ଉତେଜନା ଲାଗି ରହିଛି ।

ବେଦାନ୍ତ କମ୍ପାନୀ କଳାହାଣ୍ଡି ଜିଲ୍ଲାରେ ବକ୍ସାଇଟ୍ ପ୍ଲାଣ୍ଟ ବସାଇ ଥିବା ବେଳେ ରାୟଗଡା ନିୟମଗିରି ସିଜିମାଳି ଖଣିରୁ ବକ୍ସାଇଟ ପରିବାହନ କରିବା ଲାଗି ଯୋଜନା ରହିଛି । ତେବେ ରାୟଗଡାରେ କାରଖାନା ନକରି ବାହାର ଜିଲ୍ଲାକୁ ଖଣି ପରିବହନକୁ ଗ୍ରାମବାସୀ ବିରୋଧ କରିଛନ୍ତି । କିନ୍ତୁ ନିୟମଗିରି ସୁରକ୍ଷା ସମିତି ସଂପୂର୍ଣ୍ଣ ଭାବେ ଖଣି ଖନନକୁ ବିରୋଧ କରୁଛି ।

ପୂର୍ବରୁ ଆଦିତ୍ୟ ବିରଲା କମ୍ପାନୀ ଦ୍ୱାରା ପରିଚାଳିତ ଉକ୍ରଳ ଆଲୁମିନା କାଶୀପୁର ଦୋରାଗୁଡା ଠାରେ ଦିର୍ଘ ବର୍ଷ ଧରି ବକ୍ସାଇଟ ଖନନ କରି ସେଠାରେ କାରଖାନା ସ୍ଥାପନ କରିଛି । ଆଗକୁ କୁଟ୍ରିମାଳି ଠାରେ ଆଦାନୀ କମ୍ପାନୀ ଖଣି ଖନନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହିସବୁ କମ୍ପାନୀ ପାଇଁ ମାଇନିଂ ଏଜେଣ୍ଟ ଭାବେ କାମ କରୁଥିବା ଘରୋଇ କମ୍ପାନୀ ପୁଲିସକୁ ହାତ ବାରିଶି କରି ଲୋକଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରୁଥିବା ଅଭିଯୋଗ ହୋଇଛି । ନିୟମଗିରିର ଜଳ, ଜମି, ଜଙ୍ଗଲ ଓ ଦେବାଦେବୀଙ୍କ ସୁରକ୍ଷା ପାଇଁ ଲଢେଇ କରୁଥିବା ୨୧ ଗ୍ରାମବାସୀଙ୍କ ବିରୋଧରେ ୟଏପିଏ ବା ଦେଶଦ୍ରୋହ ଅଭିଯୋଗ ଲଗାଇ ଗିରଫ କରିଛି ପୁଲିସ । ତେବେ ବଞ୍ଚିଥିବା ଯାଏଁ ନିୟମଗିରି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି

ପୂର୍ବରୁ ରାୟଗଡା କାଶିପୁର ଜିଲ୍ଲାର ମାଇକଞ୍ଚ ଠାରେ ଖଣି ଖନନକୁ ନେଇ ଗୁଳି ବିନିମୟରେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିଲା । ଏପରି ସ୍ଥିତିରେ ନିୟମଗିରି ଓ କାଶିପୁର ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ୍ ହୋଇଛି ।