ମିଶନ ସୂର୍ଯ୍ୟ ପାଇଁ କାଉଣ୍ଟଡାଉନ ଆରମ୍ଭ । ମିଶନରୁ ଅନୁସନ୍ଧାନ, ଜାଣନ୍ତୁ ସବିଶେଷ ଖବର

152

କନକ ବ୍ୟୁରୋ :ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଏବେ ଇସ୍ରୋ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂର୍ଯ୍ୟ ଅଭିଯାନ ଉପରେ ସାରା ବିଶ୍ୱର ନଜର ରହିଛି । ରାତି ପାହିଲେ ଅର୍ଥାତ ଆସନ୍ତାକାଲି ଶନିବାର ଇସ୍ରୋ ତାର ବହୁପ୍ରତିକ୍ଷୀତ ସୂର୍ଯ୍ୟ ମିଶନ ବା ଆଦିତ୍ୟ ଏଲ-୧ ମହାକାଶକୁ ପଠାଇବ । ଏହାକୁ ନେଇ ଆଜିଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଇସ୍ରୋର ଏହି ମହତ୍ୱାକାଂକ୍ଷୀ ମିଶନକୁ ପିଏସଏଲଭି-ଏକ୍ସଏଲ ରକେଟ ସହାୟତାରେ ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୨ ତାରିଖରେ ଲଂଚ କରାଯିବ । ଲଂଚ ହେବାର ଠିକ ୧୨୭ ଦିନ ପରେ ଏହା ନିଜର ପଏଣ୍ଟ ବା କେନ୍ଦ୍ର ଏଲ-୧ ନିକଟରେ ପହଂଚିବ ବୋଲି ଆଶା କରାଯାଉଛି । ଏହି ପଏଣ୍ଟରେ ପହଂଚିବା ପରେ ଆଦିତ୍ୟ-ଏଲ୧ ସୂର୍ଯ୍ୟରେ ଲୁଚି ରହିଥିବା ଅନେକ ରହସ୍ୟମୟ ତଥ୍ୟ ପଠାଇବା ଆରମ୍ଭ କରିବ ।

ମିଶନ ଲଂଚ୍ ହେବା ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି କି, ‘ଆଦିତ୍ୟ ଏଲ-୧ ମିଶନକୁ ଲଂଚ କରିବା ପ୍ରକ୍ରିୟା ଜାରି ରହିଛି । ଏହି ମିଶନ ସେପ୍ଟେମ୍ବର ୨ ତାରିଖ ସକାଳ ୧୧.୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଲଂଚ୍ କରାଯିବ ଆଦିତ୍ୟ-ଏଲ-୧ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ପ୍ରତିଶତ ଦୂରତା ସ୍ଥିର କରି ଏଲ-୧ ପଏଣ୍ଟରେ ପହଂଚାଇଦେବ । ଏଲ-୧ ସୂର୍ଯ୍ୟ ଓ ପୃଥିବୀର ମୋଟ ଦୂରତାର ଏକ ପ୍ରତିଶତ । ଅର୍ଥାତ ୧୫ଲକ୍ଷ କିଲୋମିଟର, ଯେତେବେଳେ କି ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତା ୧୫ କୋଟି କିଲୋମିଟର’

ଇସ୍ରୋ ମୁଖ୍ୟ କହିଛନ୍ତି କି, ଆଦିତ୍ୟ ଏଲ-୧ ମିଶନ ସୂର୍ଯ୍ୟର ଅବଲୋକନ ଅର୍ଥାତ ସୂର୍ଯ୍ୟରେ ଲୁଚି ରହିଥିବା ରହସ୍ୟ ଖୋଜିବା ପାଇଁ ଇସ୍ରୋର ଏହା ପ୍ରଥମ ଅନ୍ତରୀକ୍ଷ ଅଭିଯାନ । ଲଂଚ୍ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ରକେଟ୍ ଓ ସାଟେଲାଇଟ୍ ପ୍ରସ୍ତୁତ ହୋଇସାରିଛି । ଲଂଚ୍ ପୂର୍ବରୁ ରିହଲସେଲ ବି ଶେଷ ହୋଇଛି । ଆଦିତ୍ୟ ଏଲ-୧କୁ ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ ପିଏସଏଲଭି-ସି୫୭ ପୃଥିବୀର ସବୁଠାରୁ ଲୋଅର ଅର୍ଥ ଅରବିଟରେ ରହିିବ । ଏହାପରେ ୩ କିମ୍ବା ୪ଟି କକ୍ଷପଥ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସିଧା ସଳଖ ବାହାରକୁ ଯିବ । ଏହାପରେ କ୍ରୁଜ୍ ପର୍ଯ୍ୟାୟ ଆରମ୍ଭ ହେବ । ଏହା ଟିକେ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ।
ଆଦିତ୍ୟ-ଏଲ୧କୁ ହଲୋ ଅର୍ବିଟରେ ପ୍ରବେଶ କରାଯିବ । ଯେଉଁଠାରେ ଏଲ-୧ ପଏଣ୍ଟ ରହିଛି । ଏହି ପଏଣ୍ଟଣ୍ଟ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହିଛି । ମାତ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଦୁରତାର ମାତ୍ର ୧ପ୍ରତିଶତ ଅଟେ । ଏହି ଯାତ୍ରା ପାଇଁ ୧୨୭ ଦିନ ଲାଗିବ । ଏହାକୁ ଏଥିପାଇଁ କଷ୍ଟସାଧ୍ୟ ବୋଲି କୁହାଯାଉଛି କାରଣ ଏହା ଦୁଇଟି ମାଧ୍ୟାକର୍ଷଣ କକ୍ଷପଥର ମଧ୍ୟରେ ରହିବ । ଏଥିପାଇଁ ଦୁଇଟି କକ୍ଷପଥକୁ ଅତିକ୍ରମ କରିବାକୁ ପଡିବ ।

ଗତି ନିୟନ୍ତ୍ରଣ ନହେଲେ ବଡ଼ ବିପଦ
ପ୍ରଥମ କଠିନ କକ୍ଷପଥ ହେଉଛି ପୃଥିବୀର ଏସଓଆଇରୁ ବାହାରକୁ ଯିବା । କାରଣ ପୃଥିବୀ ତାର ମାଧ୍ୟାକର୍ଷଣ ବଳରେ ଏହାର ଚାରିପାଖରେ ଥିବା ସମସ୍ତ ଜିନିଷକୁ ଟାଣି ନେଇଥାଏ । ଏହାପରେ କ୍ରୁଜ ପର୍ଯ୍ୟାୟ ଏବଂ ହେଲୋ କକ୍ଷପଥରେ ଏଲ-୧ ସ୍ଥିତିକୁ ଦଖଲ କରିବା । ଯଦି ଏଠାରେ ଏହାର ବେଗକୁ ନିୟନ୍ତ୍ରଣ କରାନଯାଏ ତେବେ ଏହା ସିଧାସଳଖ ସୂର୍ଯ୍ୟଙ୍କ ଆଡକୁ ଗତି କରିବ ଓ ଜଳିପୋଡି ପାଉଁଶ ହୋଇଯିବ ।

କେଉଁ ପଏଣ୍ଟରେ ଚାଲିବ ଆଦିତ୍ୟ ଏଲ-୧ ମିଶନ ?
ସୂର୍ଯ୍ୟଙ୍କର ନିଜର ମାଧ୍ୟାକର୍ଷଣ ଶକ୍ତି ରହିଥିବା ବେଳେ ପୃଥିବୀର ମଧ୍ୟ ମାଧ୍ୟାକର୍ଷଣ ଶକ୍ତି ରହିଛି । ମହାକାଶରେ ଯେଉଁଠାରେ ଏହି ଦୁଇଜଣଙ୍କର ମାଧ୍ୟାକର୍ଷଣ ଶକ୍ତି ମୁହାଁମୁହିଁ ହୋଇଥାଏ । କିମ୍ବା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯେଉଁଠାରେ ଶେଷ ହୋଇଥାଏ ସେହିଠାରୁ ସୂର୍ଯ୍ୟଙ୍କର ମାଧ୍ୟାକର୍ଷଣ ଶକ୍ତି ଆରମ୍ଭ ହୋଇଥାଏ । ଏହି ବିନ୍ଦୁକୁ ଲାଗ୍ରାଞ୍ଜ ପଏଣ୍ଟ ବୋଲି କୁହାଯାଇଥାଏ । ଭାରତର ଆଦିତ୍ୟ ଲାଗ୍ରାଞ୍ଜ ପଏଣ୍ଟ ବା ଏଲ-୧ ନିକଟରେ ନିୟୋଜିତ ହେବ ।

ପୃଥିବୀ ଠାରୁ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତାରେ ଚାଲିବ ମିଶନ
ଉଭୟଙ୍କର ମାଧ୍ୟାକର୍ଷଣର ସୀମାରେ ଏକ ଛୋଟ ବସ୍ତୁଟି ଅଧିକ ସମୟ ପର୍ଯ୍ୟନ୍ତ ସ୍ଥିର ହୋଇରହିପାରିବ । ଅର୍ଥାତ ଛୋଟ ବସ୍ତୁଟି ଉଭୟଙ୍କ ଶକ୍ତି ଆକର୍ଷଣ ମଧ୍ୟ ଭାଗରେ ମଧ୍ୟରେ ଫସିରହିଥାଏ । ଏହାଦ୍ୱାରା ମହାକାଶଯାନର ଇନ୍ଧନ ବ୍ୟବହାର ହ୍ରାସ ପାଇଥାଏ । ଫଳରେ ମହାକାଶଯାନ ଅଧିକଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ଆମ ସୌର ମଣ୍ଡଳକୁ ସୂର୍ଯ୍ୟଙ୍କ ଠାରୁ ଶକ୍ତି ମିଳିଥାଏ । ଆମ ସୌରମଣ୍ଡଳର ବୟସ ପାଖାପାଖି ୪୫୦ ନିୟୁତ ବର୍ଷ ହେବ ବୋଲି ବିଶ୍ୱାସ କରାଯାଏ । ସୌରଶକ୍ତି ବିନା ପୃଥିବୀରେ ଜୀବନ ସମ୍ଭବ ନୁହେଁ । ସୌରମଣ୍ଡଳର ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଦ୍ୱାରା ସମର୍ଥିତ । ନଚେତ ସେମାନେ ଗଭୀର ସ୍ଥାନରେ ଭାସୁଥାନ୍ତେ ।

ସୂର୍ଯ୍ୟରେ କାହିଁକି ଚାଲିଛି ବିସ୍ଫୋରଣ ?
ସୂର୍ଯ୍ୟର କେନ୍ଦ୍ର ଅର୍ଥାତ କୋରରେ ନ୍ୟୁକ୍ଲିୟର ଫ୍ୟୁଜନ ରହିଛି । ତେଣୁ ଚାରିଆଡେ ସୂର୍ଯ୍ୟ ଅଗ୍ନି ଫୁଟାଉଥିବା ଭଳି ମନେ ହୁଏ । ସୂର୍ଯ୍ୟ ପୃଷ୍ଟଠାରୁ ଉପରେ ଦୃଶ୍ୟମାନ ହେଉଥିବା ଅଂଶ ଏହାର ଫଟୋସ୍ପିୟରର ତାପମାତ୍ରା ୫୫୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥାଏ । ସୂର୍ଯ୍ୟଙ୍କ ଅଧ୍ୟୟନ ଦ୍ୱାରା ସୌର ମଣ୍ଡଳରେ ଥିବା ଅନ୍ୟ ଗ୍ରହମାନଙ୍କ ବାବଦରେ ଅଧିକ ଆକଳନ କରାଯାଇପାରିବ ।

ମହାକାଶର ପାଣିପାଗ ବିଷୟରେ ଜାଣିବା କାହିଁକି ଜରୁରୀ ?
ସୂର୍ଯ୍ୟ କାରଣରୁ ପୃଥିବୀରେ ବିକିରଣ, ଉତ୍ତାପ, ଚୁମ୍ବକୀୟ କ୍ଷେତ୍ର ଏବଂ ଚାର୍ଜିତ କଣିକାଗୁଡିକର ନିରନ୍ତର ପ୍ରବାହ ରହିଥାଏ । ଏହାକୁ ସୌର ପବନ ବା ସୋଲାର ୱିଣ୍ଡ ବୋଲି କୁହାଯାଇଥାଏ । ଏଗୁଡିକ ଉଚ୍ଚ ଶକ୍ତିର ପ୍ରୋଟନକୁ ନେଇ ଗଠିତ ଓ ସୌର ଚୁମ୍ବକୀୟ କ୍ଷେତ୍ର ବୋଲି ଚିହ୍ନଟ କରାଯାଏ । ଯାହା ଅତ୍ୟନ୍ତ ବିସ୍ଫୋରକ । ଏଠାରେ କୋରୋନାଲ ମାସ୍ ଇଂଜେକ୍ସନ ବା ସିଏମଇ ହୋଇଥାଏ । ଏହି କାରଣରୁ ଆଗାମୀ ସୌର ଝଡ ଯୋଗୁଁ ପୃଥିବୀର ଅନେକ ପ୍ରକାର କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ମହାକାଶର ପାଣିପାଗ ଜାଣିବା ଜରୁରୀ । ଏସବୁକୁ ଆଗୁଆ ଜାଣିବାକୁ ହେଲେ ସୂର୍ଯ୍ୟ ଅଭିଯାନ ସଫଳ ହେବା ନିହାତି ଜରୁରୀ ।

ଯଦି ଆପଣ ଏହି ମିଶନର ଲାଇଭ ଦେଖିବାକୁ ଚାହୁଁଛନ୍ତି ତେବେ ଇସ୍ରୋ ତରଫରୁ କିଛି ୱେବସାଇଟ ଜାରି କରାଯାଇଛି । ନିମ୍ନଲିଖିତ ୱେବସାଇଟକୁ ଯାଇ ଆପଣ ଏହି ମିଶନର ସିଧା ପ୍ରସାରଣ ଦେଖିପାରିବେ ।

 

ISRO Website https://isro.gov.in

Facebook : https://facebook.com/ISRO

YouTube https://youtube.com/watch?v=_IcgGYZTXQW