ଅଗ୍ନିପଥକୁ ନେଇ ଜୋରଦାର ବିରୋଧ । ଉମରକୋଟରେ ଅଭିନବ ପ୍ରତିବାଦ, ୬୦ କିଲୋମିଟର ଦୌଡିଲେ ଚାକିରି ଆଶାୟୀ ଯୁବକ ।

235

କନକ ବ୍ୟୁରୋ : ଅଗ୍ନିପଥକୁ ନେଇ ସାରା ଦେଶରେ ବିରୋଧ କରାଯାଇଥିବା ବେଳେ ନବରଙ୍ଗପୁରରେ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ପ୍ରତିବାଦ ସ୍ୱରୂପ ୬୦ କିଲୋମିଟର ଧାଇଁଛନ୍ତି ଯୁବକ । ଉମରକୋଟର ନରେଶ ବିଶ୍ୱାସ ନାମକ ଜଣେ ଧାବକ ଏହାକୁ ବିରୋଧ କରି ୬୦ କିଲୋମିଟର ଦୌଡିଛନ୍ତି । ଦେଶସେବା ପାଇଁ ଆଗ୍ରହୀ ଥିବା ବେଳେ ବିଗତ ୪ ବର୍ଷ ହେଲା କୌଣସି ନିଯୁକ୍ତି ବାହାରିନାହିଁ । ସେପଟେ କେନ୍ଦ୍ର ସରକାର ସେନାରେ ନିଯୁକ୍ତି ପାଇଁ ଏବେ ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି ଏହାକୁ ନେଇ ସେ ବିରୋଧ କରିଛନ୍ତି । ସେନାରେ ନିଯୁକ୍ତି ୧୫ ବର୍ଷ କରାଯାଉ ଓ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଉ ବୋଲି ଯୁବକ ଜଣକ କହିଛନ୍ତି ।

ଏସବୁ ଭିତରେ ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି । ଏପଟେ ଅଗ୍ନିବୀରଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆଗକୁ ବଢିବାରେ ଲାଗିଛି । ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ । ଏହାସହ ଅଗ୍ନିପଥ ନିଯୁକ୍ତି ଯୋଜନାର ବୟସ ସୀମା ମଧ୍ୟ ବଢାଯାଇଥିବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ । କେନ୍ଦ୍ର ସରକାର ସେନା ବାହିନୀ ପାଇଁ ଅଗ୍ନିପଥ ନିଯୁକ୍ତି ଯୋଜନାରେ ବୟସ ସୀମା ବୃଦ୍ଧି କରିଛନ୍ତି । ପ୍ରଥମ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ବଢାଇ ୨୧ରୁ ୨୩ ବର୍ଷ କରାଯାଇଛି । ଏବେ ଏହି ଯୋଜନାରେ ୨୩ ବର୍ଷ ବୟସର ଯୁବକ ଯୁବତୀମାନେ ବି ନିଯୁକ୍ତି ପାଇପାରିବେ । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇନଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଏହି ବର୍ଦ୍ଧିତ ବୟସ ସୀମା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅଗ୍ନିପଥ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସେନାମୁଖ୍ୟ ମେଜର ଜେନେରାଲ ମନୋଜ ପାଣ୍ଡେ । ସେନାମୁଖ୍ୟ କହିଛନ୍ତି ଅଗ୍ନିପଥ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଂଚିନାହିଁ ସଠିକ୍ ସୂଚନା । ଥରେ ତାଙ୍କ ପାଖରେ ଏନେଇ ଉପଯୁକ୍ତ ସୂଚନା ପହଂଚିଗଲେ ସେମାନେ ଏହି ଯୋଜନା ଉପରେ ଭରସା କରିବା ସହ ଏହାର ଲାଭ ସମ୍ପର୍କରେ ଜାଣିପାରିବେ । ଏହାସହ ୨ଦିନ ଭିତରେ ଜଏନ ଇଣ୍ଡିଆନ ଆର୍ମି ଡଟ୍ ଏନଆଇସି ଡଟ୍ ଇନରେ ନୋଟିଫିକେସନ ଦିଆଯିବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏହାସହ ଆସନ୍ତା ଡିସେମ୍ବର ସୁଦ୍ଧା ଅଗ୍ନିବୀରଙ୍କ ତାଲିମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସେନାମୁଖ୍ୟ ମେଜର ଜେନେରାଲ ମନୋଜ ପାଣ୍ଡେ ।

ସେନାମୁଖ୍ୟଙ୍କ ବୟାନ ପରେ ମଧ୍ୟ ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ସାରା ଦେଶରେ ବିରୋଧ ଜାରି ରହିଛି । ଓଡ଼ିଶାରେ ମଧ୍ୟ ବିରୋଧର ନିଆଁ ଦେଖିବାକୁ ମିଳିଛି । ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ କରାଯାଇଛି । କ୍ୟାଂଟନମେଂଟ ରୋଡରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ବିକ୍ଷୋଭକାରୀଙ୍କୁ ବୁଝାଇଛନ୍ତି କଟକ ଡ଼ିସିପି ପିନାକ ମିଶ୍ର । ଏହି ଯୋଜନାରେ ପିଲାଙ୍କ ପାଇଁ ଭବିଷ୍ୟତ ଥିବା କହିଛନ୍ତି ପିନାକ ମିଶ୍ର । ଆଇନକୁ ହାତକୁ ନେଲେ ପୋଲିସ କେସ୍ ହେବା ସହ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବ ବୋଲି ଆନ୍ଦୋଳନକାରୀଙ୍କୁ ବୁଝାଇଛନ୍ତି କଟକ ଡ଼ିସିପି । ଅଗ୍ନିପଥ ଯୋଜନାକୁ ନେଇ ଯଦି କିଛି ଅଭିଯୋଗ ଅଛି ଠିକ୍ ଫୋରମରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ଡ଼ିସିପି । ଭଙ୍ଗାରୁଜା ଓ ବେଆଇନ୍ କାମ ନକରି ଶୃଙ୍ଖଳା ରକ୍ଷା କରିବାକୁ କହିଛନ୍ତି ଡ଼ିସିପି ପିନାକ ମିଶ୍ର । ଆର୍ମି ଅଫିସ୍ ସାମ୍ନାରେ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ । ଏହି ସମୟରେ ପୋଲିସ ପହଂଚି ଆନ୍ଦୋଳନକାରୀଙ୍କୁ ଲାଠିମାଡ଼ କରିଥିଲା । କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କଟକ ଡିସିପି ସୂଚନା ଦେଇଛନ୍ତି ।