ବ୍ରିଜଭୂଷଣ ସିଂହ’ଙ୍କ ଗିରଫ ଦାବିରେ ତେଜିଲା ରାଜନୀତି : କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ;  କେଜ୍ରିୱାଲ ମଧ୍ୟ ଆଜି ଜଣାଇବେ ସମର୍ଥନ

105

କନକ ବ୍ୟୁରୋ : କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀ । ସକାଳୁ ସକାଳୁ ଦିଲ୍ଲୀ ଜନ୍ତରମନ୍ତର ଆସି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ । ପ୍ରିୟଙ୍କା କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବା ସହିତ ଦାବି ବାବଦରେ ଅବଗତ ହୋଇଛନ୍ତି । ଗତକାଲି ଭାରତୀୟ ରେସଲିଂ ଫେଡରେସନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ’ଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି ।

ଏହା ପରେ ବି କୁସ୍ତିଯୋଦ୍ଧା ଆନ୍ଦୋଳନରେ ବସିଛନ୍ତି । ଯେପର୍ଯ୍ୟନ୍ତ ବ୍ରିଜଭୂଷଣ ଜେଲ୍ ଯାଇ ନାହାନ୍ତି ଆନ୍ଦୋଳନରେ ବସିବେ ବୋଲି କୁସ୍ତିଯୋଦ୍ଧା କହିଛନ୍ତି । ପ୍ରିୟଙ୍କାଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଜନ୍ତରମନ୍ତର ଆସି କୁସ୍ତିଯୋଦ୍ଧାଙ୍କୁ  ଭେଟିପାରନ୍ତି । ଅର୍ଥାତ୍ ବିଜେପି ସାଂସଦଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ଏବେ ରାଜନୈତିକ ମୋଡ ନେଇଛି ।

ସେପଟେ, ସୁପ୍ରିମକୋର୍ଟଙ୍କ ତାଗିଦ ପରେ କନ୍ନଟ ପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଗୋଟିଏ ଏଫଆଇଆର ପକସୋ ଆକ୍ଟରେ କରାଯାଇଥିବାବେଳେ, ଦ୍ୱିତୀୟ ଏଫଆଇଆରଟି ଅନ୍ୟ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ହୋଇଛି । ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରୁନଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁସ୍ତିଯୋଦ୍ଧା । ତାପରେ କୋର୍ଟ ଦିଲ୍ଲୀ ପୁଲିସକୁ ନୋଟିସ କରିଥିଲେ ।

ଅଭିଯୋଗ କରିବା ସତ୍ୱେ କଣ ପାଇଁ ମାମଲା ରୁଜୁ କରାଯାଇନି ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏହାର ଜବାବ ରଖି ଦିଲ୍ଲୀ ପୁଲିସ କହିଥିଲା କୌଣସି ଏତଲା ପୂର୍ବରୁ ପ୍ରାରମ୍ଭିକ ତଦନ୍ତର ଆବଶ୍ୟକତା ରହିଛି । ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା କହିଥିଲେ ଦିଲ୍ଲୀ ପୁଲିସ ଉପରେ ତାଙ୍କର ଭରସା ନାହିଁ । ଏଥିସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ମଧ୍ୟ ସେମାନଙ୍କ ଫୋନ ଉଠାଉନଥିବା ଅଭିଯୋଗ କରିଥିଲେ ।