ବସ୍ ଗଡିବ ନା ପୁଣି ଧର୍ମଘଟ ? ମନ୍ତ୍ରୀ କହିଲେ ଆଲୋଚନା ସଫଳ, ଦ୍ୱନ୍ଦ୍ୱ ବଢ଼ାଇଲା ବସ୍ ମାଲିକ ସଂଘ

106

କନକ ବ୍ୟୁରୋ : ଘରୋଇ ବସ୍ ଧର୍ମଘଟ ଯୋଗୁଁ ହନ୍ତସନ୍ତ ହେବା ପରେ ଏବେ ସମସ୍ତଙ୍କ ନଜର ଅଟକିଛି ମାଲିକ ସଂଘ ଦେଇଥିବା ଡେଡଲାଇନ୍ ଉପରେ । ଆଉ ଏତିକିବେଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ପରିବହନ ମନ୍ତ୍ରୀଙ୍କ ସହ ଘରୋଇ ବସ୍ ମାଲିକ ସଂଘ ଆଲୋଚନା କରିଛି । ହେଲେ, ଆଲୋଚନାରୁ ବାହାରିପାରିନି ସମାଧାନର ବାଟ । ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଆଲୋଚନା ସଫଳ ହୋଇଛି । ଘରୋଇ ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାrବ ଲିଖିତ ଆକାରରେ ୩୦ ତାରିଖ ସୁଦ୍ଧା ଦେବେ । ସଂଘ ପକ୍ଷରୁ ଦିଆଯାଇଥିବା ଦାବିକୁ ବିଚାର କରିବ ପରିବହନ କମିଟି । ୩୧ରୁ ସ୍ୱାଭାବିକ ଭାବେ ଗଡିବ ବସ୍ ।

ବୈଠକ ସଫଳ ହୋଇଥିବା ମନ୍ତ୍ରୀ କହିଥିଲେ ବି ଦ୍ୱନ୍ଦ୍ୱ ବଢ଼ାଇଛି ବସ୍ ମାଲିକ ସଂଘ । ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି, ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରହିଛି । କିନ୍ତୁ ଆନ୍ଦୋଳନ ପ୍ରତ୍ୟାହାର ହୋଇନି । ୩୦ ତାରିଖରେ ସାଧାରଣ ପରିଷଦ ବୈଠକରେ ଏନେଇ ନିଆଯିବ ନିଷ୍ପତି ।

ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଛକାପଂଝା ଚାଲିଥିବାବେଳେ, ଲୋକେ ହନ୍ତସନ୍ତ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିିଛି । ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛି ବିଜେପି ।

ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ଘରୋଇ ବସ୍କୁ ସରକାର ନେଇ ଲକ୍ଷ୍ମୀ ଯୋଜନାରେ ଚଳାଇବାକୁ ଦାବି କରି ଆସୁଛି ସଂଘ । କିନ୍ତୁ ସରକାର ଦେଇଥିବା ପ୍ରତିଶ୍ରୁତି ନରଖିବାରୁ ଗତ ୨୦ତାରିଖରେ ଧର୍ମଘଟକୁ ଓହ୍ଲାଇଥିଲା । ଆଉ ଧର୍ମଘଟ ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସରକାରଙ୍କ ନିବେଦନ ପରେ ଧର୍ମଘଟକୁ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ସଂଘ ।