କେନ୍ଦ୍ରାପଡାର କମଳା ମହାରଣାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ମନ୍ କି ବାତରେ କମଳାଙ୍କ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କଲେ ମୋଦୀ।

181

କନକ ବ୍ୟୁରୋ: ସଙ୍କଳ୍ପ ପଛରେ ଯଦି ସାଧନା ଥିବ, ସେଇ ଶ୍ରମ ଦିନ ସଫଳତା ଆଣିବ । ପରିଶ୍ରମ ପଲ୍ଲୀରେ ହେଉଥିଲେ ବି ଦିଲ୍ଲୀକୁ ପ୍ରଭାବିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କାହାଣୀ କହୁଥିଲେ, ଠିକ୍ ଏଭଳି କିଛି ଏକ ବାର୍ତା ଆସୁଥିଲା । ଆବର୍ଜନା ଓ ଅଲୋଡ଼ା ସାମଗ୍ରୀରୁ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ପ୍ରସ୍ତୁତ କରୁଥିବା କମଳା ମହାରାଣା ଏବେ ସାରା ଦେଶକୁ ଆକର୍ଷିତ କରିପାରିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ାର କମଳା ମହାରଣାକୁ ପ୍ରଶଂସା କରିବା ସହ ସ୍ୱଚ୍ଛ ଭାରତକୁ ଆଗେଇ ନେଉଥିବା ଜଣେ ସାରଥୀ ବୋଲି ଅବିହିତ କରିଛନ୍ତି ।

କମଳା ମହାରଣା । ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା । କ୍ଷୀର ପ୍ୟାକେଟ, ଅଦରକାରୀ ଜରି, କାଗଜ ଆଦିର ଉପଯୋଗ କରି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଫିଙ୍ଗିଦିଆଯାଉଥିବା ଜରି ଓ କାଗଜକୁ ଗୋଟାଇ ସାଇତି ରଖୁଥିବା ଦେଖି ପ୍ରଥମେ ତାଙ୍କ ଉପରେ ରାଗୁଥିଲେ ପରିବାର ଲୋକ । କିନ୍ତୁ ଏହି ଅଦରକାରୀ ସାମଗ୍ରୀରୁ ଯେତେବେଳେ ସେ ସୁନ୍ଦର ସୁନ୍ଦର ଟୋକେଇ, ପାଚିଆ, ପେଡ଼ି, ମୋବାଇଲ ଷ୍ଟାଣ୍ଡ୍ ନିର୍ମାଣ କରିଥିଲେ, ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କମଳାଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ମୁହଁରୁ କମଳାଙ୍କ ପ୍ରଶଂସା ଶୁଣି ତାଙ୍କୁ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ପ୍ରଧାନମନ୍ତ୍ରୀଙ୍କ ବାର୍ତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେୟାର କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରୁଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ କମଳା ମହାରଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କମଳା ମହାରଣାଙ୍କ ଏହି ସଫଳତା ଆଗାମୀ ଦିନରେ ଅନ୍ୟ ମହିଳାଙ୍କୁ ମଧ୍ୟ ଏଦିଗରେ କାମ କରିବା ପାଇଁ ଉତ୍ସାହିତ କରିବ ।