ଆମେରିକାରୁ ଆସିଛି ଡାକରା,ୱାଶିଂଟନ ଯିବେ ଆଦିବାସୀ ଅଞ୍ଚଳର ବୈଦ୍ୟ।

462

କନକ ବ୍ୟୁରୋ: ଆଦିବାସୀବହୁଳ କୋରାପୁଟ ଅଞ୍ଚଳର ହରିପାଙ୍ଗି । ଘର ସେମିଳିଗୁଡା ବ୍ଲକର କଙ୍କଡାଆମ୍ବ ଗାଁ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ହରି ଔଷଧୀୟ ଗୁଳ୍ମଲତା ଉପରେ ନିରବଚ୍ଛିନ୍ନ ଗବେଷଣା କରି ଏଭଳି ସଫଳତା ହାସଲ କରିଛନ୍ତି । ଆମେରିକାରେ ବୈଜ୍ଞାନିକଙ୍କ ଆଗରେ ଉଦବୋଧନ ଦେବେ, କୋରାପୁଟର ହରି ବଇଦ । ଏଥିପାଇଁ ଆମେରିକାରୁ ତାଙ୍କୁ ଡାକରା ଆସିଛି । ୱାଶିଂଟନରେ ଜୈବ ବିବିଧତା ଓ ଜଳବାୟୁ ପରିବର୍ତନ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ବିଶ୍ୱର ବିଶିଷ୍ଟ ବୈଜ୍ଞାନିକଙ୍କ ଗହଣରେ ବନୌଷଧିର ଉପକାରିତା ଉପରେ କହିବେ ହରି ବଇଦ । ଡାକରା ପାଇ ହରି ବେଶ୍ ଖୁସିବ୍ୟକ୍ତ କରି କହିଛନ୍ତି, ଯେ ବଣରେ ହଜିଯାଇଥିବା, ଗଛକୁ ସଂରକ୍ଷଣ କରି ଜମିରେ, ଲଗାଇ ଲୋକଙ୍କ ଉପକାର କରୁଛି । ଓଡିଶା ସମେତ ୧୬ ରାଜ୍ୟର ଲୋକେ ଉପକୃତ ହେଉଛନ୍ତି ।

ଆୟୁର୍ବେଦ ଉପଚାର ଉପରେ ୪୩ ବର୍ଷିୟ ହରିଙ୍କ ଗଭୀର ଜ୍ଞାନ ରହିଛି । ଜଙ୍ଗଲରୁ ଜଡିବୁଟି ସଂଗ୍ରହ କରି ସେ ଚେରମୁଳି ଔଷଧ ତିଆରି କରିପାରିଛନ୍ତି । ଏହା ଦ୍ୱାରା ୧୦୫ ପ୍ରକାରର ରୋଗ ଠିକ୍ ହୋଇପାରୁଥିବା ସେ କହିଛନ୍ତି । ଚେରମୂଳି ଓ ପାରମ୍ପରିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ନିରବଛିନ୍ନ ଭାବେ ଗବେଷଣା ଚଳାଇଛନ୍ତି । କୋରାପୁଟ ଜିଲ୍ଳା ସେମିିଳିଗୁଡା, ଦଳେଇପୁଟ ପଞ୍ଚାୟତ ତେନ୍ତୁଳିଗୁଡାର ହରି ପାଙ୍ଗି, ହରି ବଇଦ ଭାବେ ଜଣାଶୁଣା । କରୋନା ସମୟରେ ଚର୍ଚ୍ଚାକୁ ଆସିଥିଲେ ହରି । କରୋନା ପାଇଁ ଔଷଧ ବାହାର କରିଥିବା ଦାବି କରିଥିଲେ । ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ସହଯୋଗରେ ରାଜ୍ୟ ସରକାରଙ୍କ ପାଖକୁ ଟେଷ୍ଟିଂ ପାଇଁ ପଠାଇଥିଲେ । ହରିପାଙ୍ଗି ଅନେକ ରୋଗର ଚିକିତ୍ସା କରିବା ସହ ମାଗଣାରେ ଔଷଧ ଦେଇଆସୁଛନ୍ତି । ଚିକିତ୍ସା ପାଇଁ ତାଙ୍କ ନିକଟକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ବି ରୋଗୀଙ୍କ ଭିଡ ଜମିଥାଏ ।