ଉଜ୍ଜୈନ ମହାକାଳ କରିଡର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ମହାକାଳଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

73

କନକ ବ୍ୟୁରୋ: ଅଦ୍ଭୁତ, ଅବିଶ୍ୱସନୀୟ, ଅକଳ୍ପନୀୟ, ଅଦ୍ୱିତୀୟ, ଅଲୌକିକ । ମଧ୍ୟପ୍ରଦେଶର ଉଜ୍ଜୈନରେ ନିର୍ମିତ ଭବ୍ୟ ମହାକାଳେଶ୍ୱର ମନ୍ଦିର କରିଡର । ୮୫୬ କୋଟି ଟଙ୍କା ପ୍ରକଳ୍ପରେ ନିର୍ମିତ ମହାକାଳ କରିଡର ଦେଶର ଅନ୍ୟତମ ପ୍ରମୁଖ ଧାର୍ମିକ ସ୍ଥଳୀ ହେବାକୁ ଯାଉଛି । ଏହି ମନ୍ଦିର ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ । ୯୦୦ ମିଟର ଲମ୍ବର ଏହି କରିଡରରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ୨ ଶହ ମିଟର ମୃତି ରହିବ । ମଧ୍ୟପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶ ପାଇଁ ଏହି ପ୍ରକଳ୍ପ କରାଯାଇଛି । ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇସାରିଛି । ଯେଉଁଥିରେ ମହାକାଳ ପଥ, ମହାକାଳ ବାଟିକା, ମହାକାଳ ପ୍ଲାଜା, ମିଡୱେ ଜୋନ, ମହାକାଳ ଥିମ ପାର୍କର ବିକାଶ କରାଯାଇଛି ।

କେତେ ଭବ୍ୟ ମହାକାଳ କରିଡର?
– ୨୨ ଲକ୍ଷ ବର୍ଗଫୁଟର ସମ୍ପୂର୍ଣ୍ଣ କରିଡର୍
– ୧୯୦ ମୂତି ବିଶିଷ୍ଟ ଶିବଲୀଳା ହେବ ପ୍ରଦର୍ଶିତ
– ମହାକାଳ ପଥରେ ଥିବା ୧୦୮ ସ୍ତମ୍ଭରେ ଶିବଙ୍କ ତାଣ୍ଡବ ରୂପ
– ୯୦୦ ମିଟର ଲମ୍ବା ମହାକାଳ ଲୋକ ପଥ
– ଏକକାଳୀନ ଦର୍ଶନ କରିପାରିବେ ୨ଲକ୍ଷ ଲୋକେ

ଏହି ପୂରା କରିଡରକୁ ନିର୍ମିତ କରିବା ପାଇଁ କେବଳ ଆଧ୍ୟାତ୍ମିକତାକୁ ଦୃଷ୍ଟିରେ ରଖାଯାଇନାହିଁ । ଏହାକୁ ଆଧୁନିକୀକରଣ ଓ ସ୍ମାର୍ଟ ରଖାଯିବା ପାଇଁ ପୂରା ପ୍ରୟାସ କରାଯାଇଛି । ମହାକାଳ ମନ୍ଦିର ପାଇଁ ପୂର୍ବରୁ କେବଳ ୨. ୮୨ ହେକ୍ଟର ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହା ଏବେ ୨୦ ଗୁଣା ବଢ଼ି ୨୦.୨୩ ହେକ୍ଟର ହୋଇଯାଇଛି । ଏହି ଭବ୍ୟ କରିଡରର ପୂର୍ଣ୍ଣ ପରିକ୍ରମା ପାଇଁ ଅତିକମରେ ୫ ଘଂଟା ସମୟ ଲାଗିବ । ଉଜ୍ଜୈନର ଏହି ମହାକାଳ ଲୋକ କରିଡରକୁ ଦୁଇଟି ପର୍ଯ୍ୟାୟରେ ନିର୍ମିତ କରାଯାଉଛି । ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଖୁବଶୀଘ୍ର ଆରମ୍ଭ ହେବ । ଆଧ୍ୟାତ୍ମିକତା ଓ ଆଧୁନିକୀକରଣ ଦୃଷ୍ଟିରେ ରଖି ଏହି ପ୍ରୋଜେକ୍ଟକୁ କରିବା ବହୁତ ବଡ଼ ଚ୍ୟାଲେଞ୍ଜ । କିନ୍ତୁ ମହାକାଳର ଏହି କରିଡରରେ ଏହାକୁ ବେଶ୍ ଗୁରୁତ୍ୱର ସହ ନିଆଯାଇଛି । ତା’ଛଡ଼ା ମହାକାଳ ପ୍ରକଳ୍ପ ପାଇଁ ୮୦୦ ଘରକୁ ସ୍ତାନାନ୍ତର କରାଯିବା ସହ ରୁଦ୍ର ସାଗର ପୋଖରୀକୁ ସଫା କରିବା ବଡ଼ ଚ୍ୟାଲେଞ୍ଜିଂ ଥିଲା ।

ମହାକାଳ କରିଡରର ବିଶେଷତ୍ୱ?
– ଏହା ଦେଶର ପ୍ରଥମ ନାଇଟ୍ ଗାର୍ଡେନ୍
– ମହାଦେବଙ୍କ ସମ୍ବନ୍ଧରେ ମିଳିବ ବିଭିନ୍ନ ତଥ୍ୟ
– ମ୍ୟୁଜିକାଲ ଫାଉଂଟେନ୍ ଓ ସ୍କ୍ରିନ୍ ଶୋ’
– ଭିଡ କମ କରିବାକୁ ପ୍ରୟାସ
– ପ୍ରବେଶ କରିପାରିବ ନାହିଁ କୌଣସି ଗାଡି ମୋଟର
– ପ୍ରତ୍ୟେକ ପ୍ରବେଶ ପଥରେ ରହିବ ପାର୍କିଂ ସୁବିଧା
– ପାଦଚଲା ରାସ୍ତା ସହ ଓ ରାମ୍ପ ବ୍ୟବସ୍ଥା ହେବ
– ପାର୍କିଂ ସୁବିଧା ସହ ଇ-ଯାନ ପାଇଁ ସୋଲାର ଚାର୍ଜିଂ ବ୍ୟବସ୍ଥା ରହିବ
– ପୂରାଣ ଅନୁସାରେ ସମସ୍ତ ମୂର୍ତ୍ତି ଓ ମହାକାଳ ଲୋକ ପ୍ରସ୍ତୁତ
– ଆଧ୍ୟାତ୍ମିକ ପରିବେଶ ସହିତ ସାତ୍ୱିକ ଆହାର ମିଳିବ
– ଐତିହ୍ୟ କିର୍ତ୍ତୀରାଜିର ସଂରକ୍ଷଣ

ରାଜସ୍ଥାନର ବଂଶୀ ପାହାଡ଼ପୁର ଅଂଚଳରୁ ବାଲୁକା ପଥର ଅଣାଯାଇଥିଲା ଏବଂ କରିଡରର ସୌନ୍ଦର୍ଯ୍ୟ ବୃଦ୍ଧି ସରଂଚନା ନିର୍ମାଣ ପାଇଁ ଏହାର ବ୍ୟବହାର କରାଯାଇଛି । ଆଉ ବଡ଼ କଥା ହେଉଛି ରାଜସ୍ଥାନ ବ୍ୟତୀତ ଗୁଜରାଟ ଓ ଓଡ଼ିଶାର କଳାକାର ଓ ଶିଳ୍ପୀମାନେ ମୁଖ୍ୟତଃ ପଥରକୁ ଖୋଦେଇ କରି ସୌନ୍ଦର୍ଯ୍ୟ ସ୍ତମ୍ଭ ଓ ଫଳକରେ ସଜାଇଛନ୍ତି ।