କରୋନା ଆତଙ୍କ : ଅଜଣା ଲୋକଙ୍କ ସେଲ୍ଫି କିମ୍ବା ହାତ ମିଳାଇବା ମନା, ଦିନିକିଆ ସିରିଜ ପୂର୍ବରୁ ଖେଳାଳି ମାନଙ୍କ ପାଇଁ ବିସିସିଆଇର ଆଡଭାଇଜରି ।

193

କରୋନାକୁ ମହାମାରୀ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଛି । କରୋନା ଯେଉଁଭଳି ବ୍ୟାପୁଛି ତାହା ବିଶ୍ୱବାସୀଙ୍କୁ ଭୟଭୀତ କରୁଛି । ଏଭଳି ସ୍ଥିତିରେ ଗୁରୁବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକଆ ମ୍ୟାଚ ଖେଳାଯିବ । ତେବେ ଏହାପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳି ମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି । ଖାସକରି ମ୍ୟାଚ୍ ଚାଲୁଥିବା ସମୟରେ ଖେଳାଳି ମାନଙ୍କୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।

ବିସିସିଆଇର କହିବା ଅନୁଯାୟୀ, କରୋନା ଭାଇରସର ମୁକାବିଲା ପାଇଁ ବୋର୍ଡର ମେଡିକାଲ ଟିମ୍ ଖେଳାଳିଙ୍କୁ ମନିଟରିଂ କରୁଛନ୍ତି । ଏହାବାଦ୍ ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ ଓ ଅନ୍ୟ ଅଧିକାରୀ ମାନଙ୍କୁ କରୋନା ଭାଇରସ ବାବଦରେ ଟିକିନିକି ସୂଚନା ଦିଆଯାଇଛି । ଏପରିକି କଣ କରିବେ ଓ କଣ ନକରିବେ ସେନେଇ ଖେଳାଳି ମାନଙ୍କୁ ସୂଚିତ କରାଯାଇଛି । ଯେପରିକି –
– ହାତକୁ ସାବୁନ ଓ ପାଣିରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବାକୁ ନିର୍ଦ୍ଦେଶ
– ହାତକୁ ଭଲ ଭାବେ ଧୋଇବା ସହ ସାନିଟାଇଜରର ବ୍ୟବହାର
– କାଶିବା କିମ୍ବା ଛିଙ୍କିବା ବେଳେ ମୁହଁକୁ ଘୋଡାଇ ରଖନ୍ତୁ
– ଜ୍ୱର, ଥଣ୍ଡା କିମ୍ବା ଅନ୍ୟ କୌଣସି ରୋଗ ହୋଇଥିଲେ ତୁରନ୍ତ ମେଡିକାଲ ଟିମ ସହ ସମ୍ପର୍କ କରନ୍ତୁ
– ହାତ ନ ଧୋଇ ମୁହଁ, ନାକ, ଆଖି, ପାଟିକୁ ଛୁଅନ୍ତୁ ନାହିଁ
– ଏଭଳି ରେସ୍ତୋରାଂରେ ଖାଇବାରୁ ଦୂରେଇ ରୁହନ୍ତୁ ଯେଉଁଠି ଅପରିଷ୍କାର ରହିଛି
– ଟିମ ଛଡା ଅନ୍ୟ କୌଣସି ଲୋକଙ୍କ ସମ୍ପର୍କରେ ଆସିବାରୁ ଦୂରେଇ ରହିବା ସହ ହାତ ମିଳାଇବା କିମ୍ବା ଅଜଣା ଲୋକଙ୍କ ସହ ସେଲ୍ଫି ନେବାରୁ ଦୂରେଇ ରୁହନ୍ତୁ ।

ଖେଳାଳିଙ୍କ ବ୍ୟତୀତ ଏୟାରଲାଇନ୍ସ, ଟିମ ହୋଟେଲ, ରାଜ୍ୟ କ୍ରିକେଟ ଆସୋସିଏସନ, ମେଡିକାଲ ଟିମକୁ ସଫାସୁତୁରା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଖେଳ ଦେଖିବାକୁ ଆସୁଥିବା ଦଶର୍କଙ୍କୁ କୁହାଯାଇଛି ଯେ, କୌଣସି ଅସୁବିଧା ହେଲେ ତୁରନ୍ତ ମେଡିକାଲ ଟିମ୍ ସହ ସମ୍ପର୍କ କରନ୍ତୁ । ସେହିଭଳି ଷ୍ଟାଡିୟମରେ ପୋଷ୍ଟର ମାଧ୍ୟମରେ ଲୋକଙ୍କୁ କରୋନା ବାବଦରେ କୁହାଯାଉଥିବା ବେଳେ ପ୍ରତ୍ୟେକ ବାଥରୁମରେ ସାନିଟାଇଜର ଓ ସାବୁନ ରଖା ଯାଇଛି । ଏସବୁ ଭିତରେ କରୋନା ପାଇଁ ଆଇପିଏଲ ଉପରେ ମଧ୍ୟ କଳାବାଦଲ ଘୂରି ବୁଲୁଛି ।