କେମିତି ହେଲା ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ । ବ୍ୟବଛେଦ ରିପୋର୍ଟରୁ ସାମନାକୁ ଆସିଲା ମୃତ୍ୟୁର କାରଣ, ଉଠିଲା ପ୍ରଶ୍ନ ଦୁର୍ଘଟଣା ଜନିତ ବୋଲି କେମିତି ଜାଣିଲେ ଡାକ୍ତର?

137

କନକ ବ୍ୟୁରୋ : ରାୟଗଡା ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ରହସ୍ୟ ଘେରରେ । ଏହାରି ଭିତରେ ଦୁଇ ମୃତକଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ରୁଷ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଶବ ବ୍ୟବଛେଦ ରିପୋର୍ଟକୁ ନେଇ ବହୁ ଫରେନସିକ ଏକ୍ସପର୍ଟ ପ୍ରଶ୍ନ ଉଠାଇଛନ୍ତି । ବଡ କଥା ହେଲା ୨୫ ରୁ ୩୦ ଫୁଟ ଉଚ୍ଚରୁ ପାଭେଲ ଖସି ପଡିିଥିଲେ ବୋଲି ପୋଲିସ କହୁଛି । ହେଲେ ତାଙ୍କ ଶରୀରର ବାହ୍ୟ ଅଂଶରେ କୌଣସି ଆଘାତ ଲାଗିଲାନି କେମିତି? ଯାହାକୁ ନେଇ ପ୍ରଶ୍ନ ଘେରରେ ପୋଷ୍ଟମୋର୍ଟମ ରିପୋର୍ଟ ।

ରାୟଗଡା ହୋଟେଲରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କର କେମିତି ମୃତ୍ୟୁ ହେଲା, ସେ ନେଇ ସସପେନ୍ସ ଲାଗି ରହିଥିବାବେଳେ କନକ ନ୍ୟୁଜ୍ ହାତରେ ଲାଗିଛି ଉଭୟଙ୍କ ଶବ ବ୍ୟବଛେଦ ରିପୋର୍ଟ । ଏ ହେଉଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଦିଆଯାଇଥିବା ଦୁଇ ମୃତକଙ୍କ ଭିନ୍ନ ଭିନ୍ନ ଶବ ବ୍ୟବଛେଦ ରିପୋର୍ଟ ।
ସାମ୍ନାକୁ ଆସିଛି ପ୍ରଥମେ ମୃତ୍ୟୁ ହୋଇଥିବା ଭ୍ଲାଦିମିର ବିଦାନୋଭଙ୍କ ବ୍ୟବଛେଦ ରିପୋର୍ଟ ।ଏଥିରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି, ଭ୍ଲାଦିମିରଙ୍କ ଶରୀରର ବାହାର କି ଭିତର ଅଂଗରେ କୌଣସି ପ୍ରକାର କ୍ଷତ ଚିହ୍ନ ମିଳି ନାହିଁ । କିନ୍ତୁ କାର୍ଡିଆକ୍ ଫେଲ୍ୟୁର ବା ହୃଦଘାତ ଯୋଗୁଁ ବିଦାନୋଭଙ୍କର ମୃତ୍ୟୁ ହୋଇଛି । ତାଙ୍କ ପାକସ୍ଥଳୀରୁ ମିଳିଥିବା ଜଳୀୟ ଅଂଶରେ ଗଞ୍ଜେଇ, ଅଫିମ ପରି ନିଶା ଦ୍ରବ୍ୟର ବାସ୍ନା ମିଳିଛି । ..

ସେହିଭଳି ରୁଷୀୟ ସାଂସଦ ପାଭେଲ ଆଂଟୋଭଙ୍କ ଶବ ବ୍ୟବଛେଦ ରିପୋର୍ଟରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି, ପାଭେଲଙ୍କ ମୁଣ୍ଡ ଖପୁରୀ ଓ ମେରୁଦଣ୍ଡରେ କୌଣସି ଆଘାତ ଲାଗିନଥିଲା । ତାଙ୍କ ମାଂସପେଶୀ ଓ ହାଡରେ କୌଣସି ପ୍ରକାର ଆଘାତ ଲାଗିନଥିଲା । କିନ୍ତୁ ତାଙ୍କ ବାମ ପଟ କାନ୍ଧ ଓ ପିଞ୍ଜରା ହାଡ ଭାଂଗି ଯାଇଥିଲା । ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଗ ଲଙ୍ଗସ, ଲିଭର ଓ ସ୍ପ୍ଲିନରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ଆଉ ତାପରେ ବ୍ରେନ୍ ହାମରେଜ୍ ଯୋଗୁଁ ମୃତ୍ୟୁ ହୋଇଛି । ଏବଂ ଡାକ୍ତର ଏହା ଏକ ଆକ୍ସିଡେଂଟାଲ ଡେଥ୍ ବା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଦର୍ଶାଇଛନ୍ତି ।

ଶବ ବ୍ୟବଛେଦ ରିପୋର୍ଟ ସାମନାକୁ ଆସିବା ପରେ ସନ୍ଦେହ ଆହୁରି ବଢ଼ି ଯାଇଛି । କ୍ୟାମେରା ସମ୍ମୁଖରେ କହି ନଥିଲେ ବି ଶବ ବ୍ୟବଛେଦ ରିପୋର୍ଟକୁ ନେଇ ଅନେକ ଫରେନସିକ୍ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।

ପ୍ରଶ୍ନ ଉଠୁଛି,
– ୨୫ ରୁ ୩୦ ଫୁଟ ଉଚ୍ଚରୁ ପଡିିଥିଲେ ଥିଲେ ବି ଶରୀରର ବାହ୍ୟ ଅଂଶରେ କୌଣସି ଆଘାତ ଲାଗିଲାନି କେମିତି?
– ବାହ୍ୟ ଅଂଶ ଆଘାତପ୍ରାପ୍ତ ନହୋଇ ଭିତରେ ଥିବା ଅଂଗପ୍ରତ୍ୟଙ୍ଗରେ ଆଘାତ ଲାଗିଲା କେମିତି?
– ଭ୍ଲାଦିମିରଙ୍କ ଭିସେରା ନମୁନା ରଖାଯାଇଥିଲା ବେଳେ ପାଭେଲଙ୍କ ଭିସେରା ରଖାଗଲାନି କାହିଁକି?
– କେଉଁ ଆଧାରରେ ଡାକ୍ତରୀ ଟିମ୍ ଏହାକୁ ଦୁର୍ଘଟଣା ଜନିତ ବୋଲି ଉଲ୍ଲେଖ କଲେ?

ପାଭେଲଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ୁଥିବାବେଳେ, କ୍ରାଇମବ୍ରାଂଚ ତଦନ୍ତକୁ ଜୋରଦାର କରିଛି । ରାୟଗଡାରେ ପହଁଚି କ୍ରାଇମବ୍ରାଂଚର ୧୨ ଜଣିଆ ଟିମ୍ ପୁରା ଘଟଣାର ଯାଂଚ କରୁଛନ୍ତି । ଯେଉଁ ରୁମରେ ବିଦେଶ ପର୍ଯ୍ୟଟକ ରହିଥିଲେ ଓ ଯେଉଁସ୍ଥାନରୁ ତାଙ୍କର ମୃତ ଦେହପଡିଥିଲା, ସେସବୁ ସ୍ଥାନରେ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଇଛି । ରୁଷ ପର୍ଯ୍ୟଟକ ପାଭେଲ ଆଂଟୋଭଙ୍କ ଶେଷକୃତ୍ୟ ହୋଇଥିବା ଶ୍ମଶାନକୁ ଯାଇ ନମୂନା ସଂଗ୍ରହ କରିଛି ଫରେନସିକ୍ ଟିମ୍ । ଏପଟେ କଟକରେ, ମୃତ ରୁଷିୟ ପର୍ଯ୍ୟଟକଙ୍କ ଭିସେରା ଯାଂଚ ପ୍ରସଙ୍ଗରେ କ୍ରାଇମବ୍ରାଂଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି, ପୁରା ଘଟଣା ଉପରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଂଚ । ସବୁଦିଗକୁ ନେଇ ଯାଂଚ ପରେ ଭିସେରା ଟେଷ୍ଟ ଆବଶ୍ୟକତା ନଥିବା ଜଣାପଡିଛି ।
କିନ୍ତୁ ଏହା ଏକ ଅନ୍ତର୍ଜାତୀୟ ମାମଲା ହୋଇଥିବାରୁ ଇଂଟରପୋଲର ସହାୟତା ନେବାକୁ ଯୋଜନା କରୁଛି କ୍ରାଇମବ୍ରାଂଚ । ଇଂଟରପୋଲ ସହାୟତା ମିଳିଲେ ପାଭେଲଙ୍କ ମୃତ୍ୟୁ ମାମଲାର ତଦନ୍ତ ସହଜ ହେବ ବୋଲି ସୂଚନା ଦେଇଛି କ୍ରାଇମବ୍ରାଂଚ । କଟକରେ ଥିବା ଦୁଇ ରୁଷିୟ ନାଗରିକଙ୍କୁ ଶେଷ ଦିନରେ ପଚରାଉଚରା କରାଯାଇଛି । ତେବେ ଏପର୍ଯ୍ୟନ୍ତ ଯାହା ତଥ୍ୟ ମିଳିଛି ସେହି ଆଧାରରେ ବିଦାନୋଭ ଓ ପାଭେଲଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ବୋଲି ପୁଣି ଥରେ ସୂଚନା ଦେଇଛି କ୍ରାଇମବ୍ରାଂଚ ।