ଚାକିରି ବିଜ୍ଞାପନ ଦେଖି ପ୍ରଲୋଭିତ ହେଉଛନ୍ତି କି? ସାବଧାନ! ହୋଇପାରନ୍ତି ଠକାମୀର ଶିକାର

170

କନକ ବ୍ୟୁରୋ: ଆପଣ ଯେତେବେଳେ ଖବର କାଗଜ କିମ୍ବା ସାମାଜିକ ଗଣମାଧ୍ୟମରେ କୌଣସି ଚାକିରୀର ବିଜ୍ଞାପନ ଦେଖୁଛନ୍ତ. ସେତେବେଳେ ତାର ଯାଂଚ କରନ୍ତୁ । ନଚେତ ଆପଣ ଚାକିରି କରିବାକୁ ଯାଇ ଠକାମିର ଶିକାର ହୋଇପାରନ୍ତି । ଠକମାନେ ଆପଣଙ୍କୁ ଚାକିରି ଦେବାକୁ କହି ଚୁନା ଲଗାଇ ପାରନ୍ତି ।

ଖବର କାଗଜରେ ବାହାରିଥିବା ଏହି ବିଜ୍ଞାପନ ଉପରେ ନଜର ପକାନ୍ତୁ । ଭାରତୀୟ ଜନସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଜନକଲ୍ୟାଣ ଗ୍ରାମୀଣ ସ୍ୱାସ୍ଥ୍ୟ ସଂସ୍ଥାନ, କ୍ଷେତ୍ରୀୟ ଗ୍ରାମିଣ ଜନ କଲ୍ୟାଣ ସ୍ୱାସ୍ଥ୍ୟ ସଂସ୍ଥାନରେ ନିଯୁକ୍ତି ପାଇଁ ବଜ୍ଞାପନ ବାହାରିଛି । ଯେଉଁଥିରେ ସରକାରୀ ସଂସ୍ଥା ଭଳି ମେଡିକାଲ ଅଫିସର, ମେଡିକାଲ ଆସିଷ୍ଟାଂଟ, ନର୍ସ, କମ୍ପ୍ୟୁଟର ଅପରେଟର, ମେଡିକାଲ ୱାର୍କର ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଛି । ସେହିପରି ସାମାଜିକ ଗଣମାଧ୍ୟମରେ ମଧ୍ୟ ଏଭଳି ବହୁ ନିଯୁକ୍ତି ବିଜ୍ଞାପନ ଆସୁଛି । ଯାହାକୁ ସହଜରେ ବିଶ୍ୱାସ କରି ନେଉଛନ୍ତି ବେକାରୀ ଯୁବକ ଯୁବତୀ । ଆଉ ଚାକିରୀ ପାଇଁ ଆବେଦନ କରି ଠକାମିର ଶିକାର ହେଉଛନ୍ତି । ଯାହାର ପର୍ଦାଫାଶ କରିଛି ଇଓଡବ୍ଲୁ ।

ତିନି ମାସର କସରତ ପରେ, ଚାକିରୀ ଦେବାକୁ ବିଜ୍ଞାପନ ଦେଇ ଠକେଇ କରୁଥିବା ଗ୍ୟାଙ୍ଗର ମୁଖ୍ୟଙ୍କୁ ଗିରଫ କରିଛି ଇଓଡବ୍ଲୁ । ତାଙ୍କୁ ଉତରପ୍ରଦେଶରୁ ଗିରଫ କରିଛି ଇଓଡବ୍ଲୁୃ୍ୟ । ଏଥିସହ ଠକେଇରେ ବ୍ୟବହାର କରୁଥିବା ପ୍ରାୟ ୧ହଜାରେ ଫେକ୍ ସିମ୍ ଓ ୫୩୦ ହାଣ୍ଡସେଟ୍ ଜବତ କରିଛି ।

ଆଲିଗଡ, ଉତରପ୍ରଦେଶ । ପେଶାରେ ଜଣେ ଉଚ୍ଚଶିକ୍ଷିତ ଇଞ୍ଜିନିୟର । କଲ ସେଂଟରରେ ପିଲାମାନଙ୍କ ଜରିଆରେ ଠକେଇ ନେଟୱାର୍କ ଚଳାଇଥିଲା । ପ୍ରଥମେ ବିଜ୍ଞାପନ ଦେଉଥିଲା । ତାପରେ ଯେଉଁମାନେ ଚାକିରି ପାଇଁ ଆବେଦନ କରୁଥିଲେ ସେମାନଙ୍କ ନିକଟକୁ ପିଲାମାନଙ୍କ ଦ୍ୱାରା ମିଛ ଫୋନ କଲ କରୁଥିଲା । ପଞ୍ଜିକରଣ ପାଇଁ ୩ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା ମାଗୁଥିଲେ । ଟଙ୍କା ପାଇବା ପରେ ସିମକୁ ଫୋପାଡି ଦେଉଥିଲେ । ୱେବ୍ ସାଇଟ୍ ବନ୍ଦ କରି ଦେଉଥିଲେ । ଆଉ ଶହେ ଜାଲ ବ୍ୟାଙ୍କ ଆକାଉଁଟ ଜରିଆରେ ଫ୍ରଡ କରୁଥିଲେ । ୟୁପି ଜନସେବା କେନ୍ଦ୍ର ଦ୍ୱାରା କ୍ୟୁଆର କୋଡ୍ ବ୍ୟବହାର କରି ଟଙ୍କା ଉଠାଇ ନେଉଥିଲା ।

ଏହି ର୍ୟାକେଟ ଉତରପ୍ରଦେଶ ଆଲିଗଡରୁ ଅପରେଟ୍ ହେଉଥିଲା । ଚାକିରୀ ଆଶାୟୀଙ୍କୁ ଟାର୍ଗେଟ କରୁଥିଲେ । ବିଶେଷକରି ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ର, ଓଡି଼ଶା ଓ ପଶ୍ଚିମବଂଗର ଆଶାୟୀ ଏହି ଗ୍ୟାଙ୍ଗର ଟାର୍ଗେଟରେ ଥିଲେ । ଇଓଡବ୍ଲ୍ୟୁ ଡିଆଇଜିଙ୍କ ସୂଚନା ଅନୁସାରେ ଏହା ଦେଶର ସବୁଠାରୁ ବଡ ଚାକିରି ଠକେଇ ର୍ୟାକେଟ୍ । ପ୍ରାୟ ୫୦ ହଜାର ଆଶାୟୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି ।

ଓଡିଶାରୁ ପ୍ରାୟ ୬ ହଜାରରୁ ଅଧିକ ଆଶାୟୀ ଏହି ଠକେଇର ଶିକାର ହୋଇଥିବା ଜଣାପଡିଛି । ତେବେ ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେହି ତଥ୍ୟ ଆଦାୟ କରିବା ପାଇଁ, ମାଷ୍ଟର ମାଇଣ୍ଡ ଜାଫର ଅହମ୍ମଦକୁ ୫ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ କରିବାକୁ ଯୋଜନା କରୁଛି ଇଓଡବ୍ଲୁୃ୍ୟ ।