‘ଓଡିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ନିଷ୍ପତି । ତେଜିଲା ରାଜନୀତି, ଘେରିଲେ ବିରୋଧୀ ।

152

କନକ ବ୍ୟୁରୋ: ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ନେଇ କ୍ୟାବିନେଟ୍ ନିଷ୍ପତି ପରେ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି କହିଲା, ନିର୍ବାଚନ ଆସିଲେ ଏଭଳି ଘୋଷଣା କରନ୍ତି ସରକାର । ସେହିପରି କଂଗ୍ରେସର ଅଭିଯୋଗ କରିଛି, ଓଡ଼ିଶା ଲୋକଙ୍କୁ ଭୁଅାଁ ବୁଲଉଛି ଶାସକ ଦଳ । ତେବେ ବିରୋଧୀଙ୍କ ଏଭଳି ଅଭିଯୋଗ ପରେ ଜବାବ ରଖିଛି ବିଜେଡି ।

  • ‘ଓଡିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ନିଷ୍ପତି
  • ତେଜିଲା ରାଜନୀତି, ଘେରିଲେ ବିରୋଧୀ

ସାଂସଦ ଜୁଏଲ ଓରାମ ଅଭିଯୋଗ କରି କହିଛନ୍ତି, ଦଳୀୟ କାର୍ଯ୍ୟକ୍ରମରେ ବ୍ଲେଣ୍ଡିଂ କରିବାକୁ ଚେଷ୍ଟା କରୁଛନ୍ତି । ଏହା ତାଙ୍କର ପୁରୁଣା ଅଭ୍ୟାସ । ଏଥିସହ ତାର ମୋଡାଲିଟି, ଅପରେସନାଲ ପାର୍ଟ କଣ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ, ସମାନ ଅଭିଯୋଗ ଆଣିଛନ୍ତି । ଓଡି଼ଶା ମୋ ପରିବାର ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଥିଲା । ତାକୁ ସରକାରୀ କାର୍ଯ୍ୟକ୍ରମ ଭାବେ ରୂପାୟନ କଲେ । ଏହି ନିର୍ଦ୍ଦେଶାଳୟ ଦ୍ୱାରା କିଛି ଲାଭ ହେବ ନାହିଁ, କେବଳ ଭୁଅାଁ ବୁଲାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଛି ବିଜେଡ଼ି । ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ପ୍ରବାସୀ ଓଡିଆମାନଙ୍କର ସମସ୍ୟା ବୁଝିବା ପାଇଁ ଗୋଟେ ସ୍ୱତନ୍ତ୍ର ଦପ୍ତର ରହିବ । ଏହାଦ୍ୱାରା ଓଡିଆମାନଙ୍କର ଜାତୀୟତାର ପରିପ୍ରକାଶ ହେବ । ।

ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରିବେ । ଦେଶ, ବିଦେଶରେ ରହୁଥିବା ଓଡିଆଙ୍କ ପାଇଁ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଏହା କାର୍ଯ୍ୟକ୍ଷମ ହେବ । ରବିବାର ଡିଜିଟାଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି, ବହୁ ସଂଖ୍ୟାରେ ଓଡିଆ ଦେଶର ଅନ୍ୟ ରାଜ୍ୟରେ ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରୁଛନ୍ତି ଓ ଓଡିଶାର ଅଭିବୃଦ୍ଧି କାହାଣୀର ଏକ ଭୂମିକା ନେବାକୁ ଚାହାନ୍ତି । ପ୍ରବାସୀ ଓଡିଆଙ୍କ ଜ୍ଞାନ, କୌଶଳ ତଥା ବିଶ୍ୱସ୍ତରୀୟ ଉପସ୍ଥିତିକୁ ଓଡି଼ଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶାଳୟ ଉଦ୍ୟମ କରିବ । କରୋନା ସମୟରେ ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମୋ ପରିବାର କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ରକ୍ତଦାନ, ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ସହ ପ୍ରବାସରେ ରହୁଥିବା ଓଡିଆମାନଙ୍କ ମାନଙ୍କୁ ସହଯୋଗ କରିବା ଏହାର ମୁଖ୍ୟ ଉଦେଶ୍ୟ ଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମ ସହ ଓଡିଶା ପରିବାର ନିର୍ଦ୍ଦେଶାଳୟର କୌଣସି ସମ୍ପର୍କ ନଥିବା କହିଛି ଶାସକ ଦଳ ।