ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ । ବିଜେପି ପକ୍ଷରୁ ଟଙ୍କଧର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

130

କନକ ବ୍ୟୁରୋ: ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତରୁଣ ପାଣ୍ଡେ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ ପାଣ୍ଡେ । କଂଗ୍ରେସ ଦଳୀୟ ପ୍ରାର୍ଥୀ ଘୋଷଣା ପୂର୍ବରୁ ଏକ ୫ ଜଣିଆ ଟିମ୍ ଝାରସୁଗୁଡ଼ା ଯାଇ ଦଳୀୟ ପ୍ରାର୍ଥୀତ୍ୱ ନେଇ ସ୍ଥାନୀୟ ନେତାଙ୍କ ସହ ବିଚାରବିମର୍ଶ କରିଥିଲା । ପରେ ଚୁଡାନ୍ତ ତାଲିକା ଏଆଇସିସିଙ୍କ ନିକଟକୁ ପଠାଯାଇଥିଲା । ଏବେ ତରୁଣ ପାଣ୍ଡେଙ୍କ ନାଁରେ ମୋହର ମାରିଛି ଏଆଇସିସି । ତରୁଣ କଂଗ୍ରେସ ଦଳ ସଂଗଠନ ସହ ଜଡ଼ିତ ଥିଲେ । ବାପାଙ୍କ ଲିଗାସିକୁ ଆଗକୁ ବଢ଼ାଇ ନେବା ପାଇଁ ସକ୍ଷମ ବୋଲି ଦଳ ବିଚାର କରୁଛି ।

ତରୁଣଙ୍କ ବାପା ବିରେନ୍ଦ୍ର ପାଣ୍ଡେ ଝାରସୁୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫ ଏବଂ ୧୯୯୫ରେ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ କଂଗ୍ରେସର ଗଡ଼ ଥିବା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳିରେ ପୁରୁଣା ଭୋଟ୍ ବ୍ୟାଙ୍କକୁ ନିଜ ହାତକୁ ଫେରାଇ ଆଣିବାକୁ ଦଳ ଲକ୍ଷ୍ୟ ରଖିଛି । ଏପଟେ ବିଜେଡି ପକ୍ଷରୁ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ କିଏ ହେବେ ବିଜେପି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ବିିଜେପି ଟିକେଟ ଦୌଡ଼ରେ ଟଙ୍କଧର ତ୍ରିପାଠୀଙ୍କ ନାଁ ଚର୍ଚ୍ଚା ଆଗରେ ରହିଛି । ଏମିିତି କି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି ଟଙ୍କଧର ତ୍ରିପାଠୀ ହିଁ ବିଜେପିର ପ୍ରାର୍ଥୀ ହେବେ । ତେବେ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି ।