ସରକାରୀ ବିଜ୍ଞାପନରେ ହେରଫେର ଅଭିଯୋଗ, ୧୬୪ କୋଟି ଟଙ୍କା ଜମା କରିବାକୁ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରିକଲା ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ

77

କନକ ବ୍ୟୁରୋ : ଦିଲ୍ଲୀରେ ଆମ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଚାଲିଛି ବାକଯୁଦ୍ଧ । ଜଣେ ଅନ୍ୟ ଜଣଙ୍କ ଉପରେ ଅଭିଯୋଗ ପରେ ଅଭିଯୋଗ ଲଦିବାରେ ଲାଗିଛନ୍ତି । ବିଜେପି ନିଜର ରାଜନୈତିକ ହିତ ପାଇଁ ଦିଲ୍ଲୀ ଅଫିସରଙ୍କୁ ବ୍ୟବହାର କରୁଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି । ଅନ୍ୟପଟେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଦିଲ୍ଲୀକୁ ଲୁଟୁଛି ଆପ୍ । ଅନ୍ୟପଟେ ସରକାରୀ ବିଜ୍ଞାପନରେ ରାଜନୈତିକ ବିଜ୍ଞାପନ ପ୍ରକାଶ କରିବା ଅଭିଯୋଗ କରାଯାଇ ଆପକୁ କରାଯାଇଛି ନୋଟିସ ।

ଆମ ଆଦମୀ ପାର୍ଟିକୁ ମିଳିଛି ବଡ଼ ଝଟକା । ଆପ ବିରୋଧରେ ସରକାରୀ ବିଜ୍ଞାପନଆଳରେ ରାଜନୈତିକ ବିଜ୍ଞାପନ ପ୍ରକାଶ କରିବା ଅଭିଯୋଗ ହୋଇଛି । ଏନେଇ ୧୦ ଦିନରେ ପ୍ରାୟ ୧୬୪ କୋଟି ଟଙ୍କା ଜମା କରିବାକୁ ଆପକୁ ନୋଟିସ ଜାରି କରିଛି ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ । ଗତ ମାସରେ ଉପରାଜ୍ୟପାଳ ଭିକେ ସକ୍ସେନା ସରକାରୀ ବିଜ୍ଞାପନ ଆଳରେ ଆପ ନିଜର ରାଜନୈତିକ ପ୍ରଚାର କରୁଥିବା ଅଭିଯୋଗ ଲଗାଇଥିଲେ । ଏହା ସହ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବିଜ୍ଞାପନ ପାଇଁ ୨୦୧୭ ଠାରୁ ଖର୍ଚ୍ଚ ହୋଇଥିବା ସରକାରୀ ଟଙ୍କା ଆପ ଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ଆପ ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ କହିଥିଲେ । ଏହି ନିର୍ଦ୍ଦେଶର ଗୋଟିଏ ମାସ ପରେ ଡ଼ିଆପି ପକ୍ଷରୁ ନୋଟିସ ଜାରି ହୋଇଛି । ବିଜ୍ଞାପନ ବାବଦରେ ହୋଇଥିବା ଖର୍ଚ୍ଚ ଏବଂ ଏହାର ସୁଧକୁ ମିଶାଇ ୧୦ ଦିନ ମଧ୍ୟରେ ଆପ ଠାରୁ ୧୬୩. ୬୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଆପ ଓ ବିଜେପି ମଧ୍ୟରେ ବିଜ୍ଞାପନକୁ ନେଇ ହୋଇଥିବା ଏହି ବିବାଦ କେଉଁଆଡ଼କୁ ମୁହାଁଇବ ଏହା ଉପରେ ସମସ୍ତଙ୍କର ନଜର ।