ଲେଡି ଡନର ଘର ଭାଙ୍ଗିଲା ପୋଲିସ : ରଞ୍ଜୁଙ୍କ ନିଶା କାରବାରକୁ ନେଇ ସୁବ୍ରତଙ୍କୁ କରାଯାଇଥିଲା ହତ୍ୟା

133

କନକ ବ୍ୟୁରୋ : ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଲେଡ଼ି ଡ଼ନର ଘର ଭାଙ୍ଗୁଛି ପୋଲିସ । ବୁଲ ଡ୍ରୋଜର ଲଗାଇ ଲେଡ଼ି ଡ଼ନ୍ ଘର ଭଙ୍ଗା ଯାଉଛି । ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାରେ ରଞ୍ଜୁ ଓ କାହ୍ନାକୁ ବୁଧବାର ଗିରଫ କରିଥିଲା ପୋଲିସ । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଥିଲା ।

ଗତ ଶୁକ୍ରବାର ରାତିରେ ସୁବ୍ରତ ରାଓଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ବ୍ରାଉନସୁଗାର ବଟି ଆଦାୟକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ୩ଜଣ ଯୁବକଙ୍କୁ ଗୋଡ଼େଇ ହାଣିଥିଲେ ଲେଡି ଡନ୍, ତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ଭୁବନେଶ୍ୱରର ୟୁନିଟ୍-୮ ନାରାୟଣ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ସୂଚନା ଅନୁସାରେ ନାରାୟଣ ବସ୍ତିରେ ଏକ ଦମ୍ପତି ସୁବ୍ରତଙ୍କ ନାଁ ନେଇ ବ୍ରାଉନସୁଗାର ବିକୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୁବ୍ରତ ସମ୍ପୃକ୍ତ ଦମ୍ପତିଙ୍କୁ ପଚରାଉଚରା କରିଥିଲେ ।ଏଥିରେ କ୍ଷୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ ଲେଡି ଡନ୍, ତାଙ୍କ ସ୍ୱାମୀ ଓ କିଛି ସହଯୋଗୀ । ତେବେ ଆଜି ପୋଲିସ ରଞ୍ଜୁଙ୍କ ଘର ଭାଙ୍ଗୁଛି  ।