ଅରୁଣାଚଳରେ ବିଜେପିର ହାଟ୍ରିକ , ୬୦ ଆସନରୁ ୪୬ ଆସନ ହାତେଇଲା ଦଳ । ସିକ୍କିମରେ ଏସକେଏମର କ୍ଲିନ ସ୍ୱିପ୍

151

କନକ ବ୍ୟୁରୋ : ଅରୁଣାଚଳପ୍ରଦେଶରେ ବିଜେପି ସରକାରଙ୍କ ହ୍ୟାଟ୍ରିକ । ରାଜ୍ୟରେ ପୁଣି ଫୁଟିଲା ପଦ୍ମ । ଲଗାତାର ତୃତୀୟ ଥର ପାଇଁ ଦଳ ଏଠାରେ ସରକାର କରିବା ସ୍ପଷ୍ଟ ହୋଇଛି । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୩୧ ଥିବାବେଳେ ୪୬ ଆସନ ଦଖଲ କରିଛି ଦଳ । ଅର୍ଥାତ ପେମା ଖାଣ୍ଡୁ ପୁଣି ସରକାର ଗଢ଼ିବାକୁ ଯାଉଛନ୍ତି । ଦଳର ଅପୂର୍ବ ବିଜୟ ପରେ ଉତ୍ସବ ମୁଖର ହୋଇ ଉଠିଛି ବିଜେପି ଶିବିର । ବିଜେପିକର୍ମୀ ଓ ନେତା ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି । ଆଜି ସକାଳୁ ମତଗଣନା ଆରମ୍ଭ ହେବା ପରେ ବିଜେପି ଆଗରେ ରହିଥିଲା । ମୋଟ ୬୦ ଆସନରୁ ୪୬ ଆସନରେ ପ୍ରାର୍ଥୀ ଦେଇଥିଲା ବିଜେପି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୪୧ ଆସନରେ ଜିତ ହାସଲ କରି ସରକାର ଗଢ଼ିଥିଲା ।

ସିକ୍କିମରେ କ୍ଲିନ ସ୍ୱିପ କରିଛି ଏସକେଏମ । ସବୁ ବିରୋଧୀଙ୍କୁ ସବୁ ଦିଗରୁ ଚକମା ଦେଇ ୩୨ ଆସନରୁ ୩୧ ଆସନରେ ଜିତିଛି ଦଳ । ସରକାର ଗଠନ ପାଇଁ କେବଳ ମ୍ୟାଜିକ ନମ୍ବର ୧୬ ଥିବାବେଳେ ଏହାଠୁ ବେଶ ଆଗରେ ରହିଛି ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା । ଅର୍ଥାତ ବହୁମତ ସହ ଦଳ ଏଠାରେ ସରକାର ଗଢ଼ିବାକୁ ଯାଉଛି । ୨୦୧୪, ୨୦୧୯ ପରେ ପରେ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ଏସକେଏମ । ସବୁଠୁ ବଡ କଥା ହେଉଛି ପ୍ରେମ ସିଂ ତମାଙ୍ଗଙ୍କ ନେତୃତ୍ୱରେ ଏସକେଏମ ୨୪ବର୍ଷର ଅଧିକ ସମୟ ଧରି ଶାସନ କରୁଥିିବା ଚାମଲିଙ୍ଗ ସରକାରଙ୍କୁ ଗାଦିରୁ ହଟାଇବାରେ ସକ୍ଷମ ହୋଇପାରୁଛି ।

କିଛି ସମୟ ମଧ୍ୟରେ ରାଜ୍ୟପାଳଙ୍କୁ ଭେଟିବେ ଉଭୟ ଦଳର ମୁଖ୍ୟମନ୍ତ୍ରୀ । । ଅରୁଣାଚଳପ୍ରଦେଶ ଓ ସିକ୍କିମରେ ୧୯ ଏପ୍ରିଲରେ ଭୋଟ ପଡିଥିଲା । ସିକ୍କିମରେ ୭୯.୮୮ ପ୍ରତିଶତ ଓ ଅରୁଣାଚଳରେ ୮୨.୯୫ ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା ।