ବେପରୁଆ ଗାଡିଚାଳକ ସାବଧାନ: ଭୁଲ ରୁଟରେ ଗଲେ ଫୁଟିବ କଣ୍ଟା

87

କନକ ବ୍ୟୁରୋ: ରାସ୍ତାକୁ ନିଜ ସଂପତି ଭାବି ମନ ଇଚ୍ଛା ଗାଡି ଚଲାଉଥିଲେ ପାଇବେ ପାନେ । ଚେକିଂ ବେଳେ ଖସିଯାଉଥିବା ଅମାନିଆ ଚାଳକଙ୍କୁ ସାବାଡ କରିବା ପାଇଁ କଂଟା ଫର୍ମୁଲା ଆପଣାଇଛି ପୁଲିସ । ୟୁ ଟର୍ଣ୍ଣ ମାରି, ପୁଲିସ ଉପରକୁ ଗାଡି ଚଢାଇ ଦେବାକୁ ଉଦ୍ୟମ କରୁଥିବା ଅମାନିଆଙ୍କ ପାଇଁ ରାସ୍ତାରେ କଂଟା ବିଛାଇବ ପୁଲିସ । ଏହାସହ ଡ୍ରାଇଭିଂ କରୁଥିବା ବେଳେ ଫୋନ୍ରେ କଥା ହେଉଥିଲେ, ଗାଡି ସହ ମୋବାଇଲ୍ ସିଜ୍ କରାଯିବ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଂଜୀବ ପଣ୍ଡା ।

ପୁଲିସ ଚେକିଂ ବେଳେ ରୋଡରୋମିଓଙ୍କ ପାଇଁ ରାସ୍ତାରେ କଂଟା ବିଛାଇବ ପୁଲିସ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଘଟଣା ସତ ହେବାକୁ ଯାଉଛି । ମଦୁଆଙ୍କୁ ସାବାଡ ପାଇଁ ଚେକିଂ ବେଳେ ଭୁଲ ରାସ୍ତାରେ କିମ୍ବା ୟୁ-ଟର୍ଣ୍ଣ କରି କିଛି ଚାଳକ ଫେରାର ହୋଇଯାଉଛନ୍ତି । ଆଉ କିଛି ପୁଲିସ ଉପରକୁ ଗାଡି ଚଢାଇ ଦେବାକୁ ଉଦ୍ୟମ ବି କରୁଛନ୍ତି । ଅତୀତରେ କମିଶନରେଟ ପୁଲିସର ବ୍ୟାରିକେଟ ଭାଙ୍ଗି କାର ଡ୍ରାଇଭର ରାତି ଅଧାରେ ଉତ୍ପାତ କରିଥିବା ଦେଖିବାକୁ ମିଳିଥିଲା । ଏସବୁକୁ ଆଖି ଆଗରେ ରଖି ପୁଲିସ ଏବେ ରାସ୍ତାରେ ଅମାନିଆଙ୍କ ପାଇଁ ରଙ୍ଗ ରାଇଡ ବ୍ୟାରିଅର ବ୍ୟବସ୍ଥା କରିଛି । ଏହି ରଙ୍ଗ ରାଇଡ ବ୍ୟାରିୟର ପ୍ରଚି ଚେକ ପୋଷ୍ଟରେ ରହିବ । ଆଉ ଖସିଯାଉଥିବା ଚାଳକଙ୍କ ଚକାତଳକୁ ଜାଲ ଭଳି ବ୍ୟ।।ରିଅର ବିଛାଇଦିଆଯିବ ।

ରାଜଧାନୀରେ ଗାଡି ଚଳାଇବାବେଳେ ମୋବାଇଲର ବ୍ୟବହାର ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏବେ ପ୍ରତି ଛକରେ ଥିବା ପୁଲିସ କର୍ମଚାରୀ ଏ ସବୁ ଉପରେ ନଜର ରଖିବେ । ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେଉଥିଲେ ଗାଡି ସହ ମୋବାଇଲ ଜବତ ହେବ । ଗାଡିକୁ କୋର୍ଟ ଚାଲାଣ କରାଯିବା ସହ ମୋବାଇଲକୁ ଜବତ କରାଯିବ ।
-ଗତ ଦୁଇଦିନ ଭିତରେ ୨୧୮ଟି ଗାଡି/ମୋବାଇଲ ଜବତ ହୋଇଛି
-୪ ଦିନ ଭିତରେ ୪ ଶହ ମଦୁଆଙ୍କ ଗାଡି ଜବତ କରି ପୁଲିସ ରେକର୍ଡ କରିଛି
ପୂର୍ବରୁ ରୋଡ ରୋମିଡ ଓ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବାକୁ କମିଶନରେଟ ପୁଲିସ ଅନେକ ଘୋଷଣା କରିଛି । ଆଉ ଏବେ ଏହି ଘୋଷଣା କେତେ କାର୍ଯ୍ୟକାରୀ ହେବ. ତା ଉପରେ ପ୍ରଶ୍ନ ଉଠିଛି ।