ଚଣ୍ଡିଗଡ ଯିବେ ପ୍ରଧାନମନ୍ତ୍ରୀ । ପ୍ରକାଶ ସିଂ ବାଦଲଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେବେ ମୋଦୀ ।

381

କନକ ବ୍ୟୁରୋ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକରେ ଦେଶରେ ଶୋକର ଛାୟା । ପ୍ରକାଶଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଆଜି ଚଣ୍ଡିଗଡ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ନ ୧୨ଟା ବେଳେ ଚଣ୍ଡିଗଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଶିରୋମଣି ଅକାଳୀ ଦଳର ମୁଖ୍ୟାଳୟରେ ପ୍ରକାଶ ସିଂ ବାଦଲଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି ।

ଏହାପୂର୍ବରୁ ପ୍ରକାଶ ସିଂ ବାଦଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିବା ସହ ଟ୍ୱିଟରେ ଲେଖିଥିଲେ, ପ୍ରକାଶ ସିଂ ବାଦଲଙ୍କ ପରଲୋକରେ ମୁଁ ବହୁତ ଦୁଃଖିତ । ଭାରତୀୟ ରାଜନୀତିରେ ବଡ ଚେହେରା ଥିଲେ ପ୍ରକାଶ । ଦେଶର ବିକାଶରେ ତାଙ୍କର ଯୋଗଦାନ ରହିଥିଲା । ପଞ୍ଜାବର ପ୍ରଗତି ପାଇଁ କଠିନ ପରିଶ୍ରମ କରିବା ସହ କଠିନ ସମୟରେ ରାଜ୍ୟକୁ ସାହାରା ଦେଇଛନ୍ତି । ପ୍ରକାଶଙ୍କ ପରଲୋକ ମୋର ବ୍ୟକ୍ତିଗତ କ୍ଷତି । ତାଙ୍କ ଠାରୁ ମୁଁ ବହୁତ କିଛି ଶିଖିଛି । ଏଭଳି କଠିନ ସମୟରେ ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରକାଶ ସିଂ ବାଦଲଙ୍କୁ ବହୁତ ସମ୍ମାନ କରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୦୧୯ରେ ଯେତେବେଳେ ବାରଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ମୋଦୀ ନାମାଙ୍କନପତ୍ର ଦାଖଲ କରିଥିଲେ ସେତେବେଳେ ପ୍ରକାଶଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏପରିକି ୨୦୧୫ରେ ଏକ କାର୍ଯ୍ୟକ୍ରମରେ ପ୍ରକାଶଙ୍କୁ ଭାରତର ନେଲସନ ମାଣ୍ଡେଲା ବୋଲି କହିଥିଲେ । ମୋଦୀ କହିଥିଲେ, ବାଦଲ ଏଭଳି ଜଣେ ମହାନ ନେତା ଯିଏ ଭାରତ ପାଇଁ ସଂଘର୍ଷ କରି ବିଭିନ୍ନ କାରଣରୁ ପାଖାପାଖି ୨ ଦଶକ ଜେଲରେ ରହିଛନ୍ତି ।

୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ପ୍ରକାଶ ସିଂ ବାଦଲଙ୍କୁ ସପ୍ତାହେ ତଳେ ପଂଜାବ ମୋହାଲିର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ସେ ଗତବର୍ଷ ଜୁନରେ ବି ହସପିଟାଲରେ ଭର୍ତି ହୋଇଥିଲେ । ଗତ ଜାନୁଆରୀରେ ସେ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ବହୁ ନେତା ଶୋକ ପ୍ରକାଶ କରିଛନ୍ତି ।