ପିଏମ୍ କିଷାନ ସମ୍ମାନ ନିଧିରେ କାଲି ଚାଷୀଙ୍କୁ ମିଳିବ ଟଙ୍କା । ୨ ହଜାର ଟଙ୍କା ଲେଖାଏଁ ପାଇବେ ୯ କୋଟି ୨୬ ଲକ୍ଷ ଚାଷୀ

295

କନକ ବ୍ୟୁରୋ: ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ ନରେନ୍ଦ୍ର ମୋଦୀ । ମଙ୍ଗଳବାର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଉତ୍ତରପ୍ରଦେଶ ବାରାଣସୀରୁ ପ୍ରଧାନମନ୍ତ୍ରୀ ଦେଶର ପ୍ରାୟ ୯କୋଟି ୨୬ ଲକ୍ଷ ଚାଷୀଙ୍କ ଖାତାକୁ ପଠାଇବେ ପିଏମ କିଷାନ ଟଙ୍କା । ୧୭ତମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ଯିବ । ୨ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏନେଇ ସୂଚନା ଦେଇଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ।

  • ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା
  • ବାରାଣସୀରୁ ମୋଦୀ ପଠାଇବେ ୧୭ତମ କିସ୍ତି

ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀକୂଳକୁ ଆର୍ଥିକ ପ୍ରତ୍ସୋହନ ପାଇଁ ୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦୀ ସରକାର । ଏଯାଏଁ ୧୬ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇ ସାରିଲେଣି । ତେବେ ମଙ୍ଗଳବାର ପିଏମ କିଷାନ ଉତ୍ସବ ଦିବସରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ।

ପିଏମ କିଷାନ ଉତ୍ସବ ଦିବସ

  • ବରଗଡ଼ରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ
  • ପୁରୀରେ ପିଏମ କିଷାନ ଉତ୍ସବ ଦିବସରେ ଉପସ୍ଥିତ ରହିବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
  • ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ
  • ୭ଟି ଜିଲ୍ଲାରେ ବିଜେପି ସାଂସଦମାନେ ଉପସ୍ଥିତ ରହିବେ ବୋଲି ମଧ୍ୟ ଜଣାପଡିଛି

ସଂସଦରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଅନୁସାରେ ୨୦୨୩-୨୪ରେ ଓଡିଶାରେ ୩୦ ଲକ୍ଷରୁ ଅଧିକ ପିଏମ କିଷାନ ସମ୍ମାନ ନିଧି ହିତାଧିକାରୀ ଅଛନ୍ତି । ତେଣୁ ମୋଦୀ ପଠାଇଥିବା ଟଙ୍କା ସିଧାସଳଖ ଏମାନଙ୍କ ଖାତାକୁ ଯିବ ।