ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ଚାଷୀ ଆନ୍ଦୋଳନ ଓ ଦାବିକୁ ନେଇ ଜୋରଦାର ଆଲୋଚନା । ମୋଦୀ କହିଲେ ଚାଷୀଙ୍କଠୁ ଏବେ ଗୋଟିଏ କଲ୍ ଦୂରରେ

224

କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟ୍ ଆସିବା ପୂର୍ବରୁ ଶନିବାର ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ଯେଉଁଥିରେ ଚାଷୀ ଆନ୍ଦୋଳନ ଓ ସେମାନଙ୍କର ଦାବିକୁ ନେଇ ଆଲୋଚନା ହୋଇଛି । ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ଶିବସେନା ସାଂସଦ ବିନାୟକ ରାଉତ ଚାଷୀ ଆନ୍ଦୋଳନକୁ ନେଇ ନିଜର ମତ ରଖିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇ କହିଛନ୍ତି, ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଅନେକ ଗୁଡିଏ ପ୍ରସ୍ତାବ ରଖାଯାଇଛି । ଚାଷୀମାନେ ଏହା ଉପରେ ଚର୍ଚ୍ଚା କରିବା ନିହାତି ଆବଶ୍ୟକ । କଥାବାର୍ତ୍ତା  ମାଧ୍ୟମରେ ଏହାର ସମାଧାନ ବାହାରିପାରିବ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ କଥାକୁ ଦୋହରାଇ ସେ କହିଛନ୍ତି ଯେ, ସେ ଏବେ ଚାଷୀଙ୍କଠାରୁ କେବଳ ଗୋଟିଏ କଲ୍ ଦୂରରେ ଅଛନ୍ତି ।

ଏଥିସହ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକରେ ଯୋଗଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଚାଷୀଙ୍କ ସବୁ ଦାବିକୁ ନେଇ ଆଲୋଚନା ହେବ । ସରକାର ଓ ଚାଷୀଙ୍କ ଭିତରେ ଯେଉଁ କଥାବାର୍ତ୍ତା ହୋଇଛି ସେନେଇ ଅଧିକ ଚର୍ଚ୍ଚା ଚାଲିଛି ବୋଲି ସେ କହିଛନ୍ତି ।