ପିଏମ୍ କିଷାନ ସମ୍ମାନ ନିଧି ଯୋଜନା : ଆଜି ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା; ଉପକୃତ ହେବେ ସାଢ଼େ ୮ କୋଟି ଚାଷୀ

9,568

କନକ ବୁରୋ : ଆଜି ଚାଷୀଙ୍କ ଆକାଉଣ୍ଟଙ୍କୁ ମୋଦୀ ସରକାର ପଠାଇବେ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୪ତମ କିସ୍ତିକୁ ନେଇ ଚାଲିଥିବା ପ୍ରତୀକ୍ଷାର ଆଜି ଅନ୍ତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ରାଶିର ୧୪ତମ କିସ୍ତି ବାବଦରେ ୨ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବେ ।

ରାଜସ୍ଥାନର ସିକରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନ କରିବେ । ଦେଶର ସାଢ଼େ ୮ କୋଟି କୃଷକଙ୍କୁ ମିଳିବ ୧୭ ହଜାର କୋଟି ଟଙ୍କା । ଏହି ଯୋଜନା ରେ ଦେଶର କୃଷକମାନେ ବାର୍ଷିକ ୬,୦୦୦ ଟଙ୍କା ସହାୟତା ପାଆନ୍ତି, ଯାହାକି ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ଦିଆଯାଏ ।

୧୩ତମ କିସ୍ତି ୮ କୋଟି ୨ ଲକ୍ଷ କୃଷକଙ୍କୁ ମିଳିଥିଲା । ୨୦୨୩ ଫେବ୍ରୁଆରି ୨୭ରେ ବେଲଗାଭିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୬,୮୦୦ କୋଟି ଟଙ୍କା ପଠାଇ ଥିଲେ ।