ଏନଡିଏ ସାଂସଦଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ: ଗରିବ କଲ୍ୟାଣ ଉପରେ କାମ କରିବାକୁ କହିଲେ ମୋଦୀ

103

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃଣମୂଳସ୍ତରରୁ ପ୍ରସ୍ତୁତି କରୁଛି ବିଜେପି । ବୁଧବାର ଏନଡିଏ ସାଂସଦମାନଙ୍କ ସହ ବୈଠକ କରି ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗରିବ କଲ୍ୟାଣ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେବା ସହ ସାଂସଦମାନଙ୍କୁ ବିବାଦୀୟ ବୟାନ ଓ ଘଟଣାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କିଛି ଦିନ ପରେ ବାଜିବ ସାଧାରଣ ନିର୍ବାଚନ ପାଇଁ ବିଗୁଲ । ଏବେଠୁ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିକୁ ଜୋରଦାର କଲେଣି । ବୁୁଧବାର ଏନଡିଏ ସାଂସଦଙ୍କୁ ନେଇ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୦୨୪ ପାଇଁ ସାଂସଦଙ୍କୁ ବିଜୟ ମନ୍ତ୍ର ଦେବା ସହ ବୈଠକରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସାଂସଦମାନଙ୍କୁ କିଛି ଟିପ୍ସ ଦେଇ ନିର୍ବାଚନ ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

୨୦୧୯ ନିର୍ବାଚନ ସମୟରେ ସାଂସଦମାନଙ୍କ ବିବାଦୀୟ ବୟାନ ଯୋଗୁଁ ଦଳକୁ ବେଶ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତେଣୁ ଏହି ଭୁଲ ଯେପରି ନଦୋହରାଯାଏ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି ।

ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
– ବିବାଦର ଦୂରେଇ ରୁହନ୍ତୁ ସାଂସଦ
– ଉସୁକାଇବା ଭଳି ଭାଷଣରୁ ଦୂରେଇ ରୁହନ୍ତୁ
– ନିଜ ଅଂଚଳରେ କଲ ସେଂଟର ସ୍ଥାପନ କରି ଜନତାଙ୍କ ସହ ସିଧାସଳଖ ଯୋଡ଼ି ହୁଅନ୍ତୁ
-ପ୍ରଫେସନାଲ ସୋସିଆଲ ମିଡିଆ ଏକ୍ସପର୍ଟଙ୍କୁ ଟିମରେ ସାମିଲ କରୁନ୍ତୁ
-ବିରୋଧୀ ସୃଷ୍ଟି କରୁଥିବା ଭ୍ରମକୁ ଦୂରେଇବାକୁ ଚେଷ୍ଟା କରନ୍ତୁ
-ଜନତାଙ୍କ ନିକଟରେ ପହଁଚି ସେମାନଙ୍କ ସମସ୍ୟା ପଚାରି ବୁଝନ୍ତୁ
-ତୃଣମୂଳସ୍ତରରୁ ଜନତାଙ୍କ ସହ ଯୋଡ଼ି ହୁଅନ୍ତୁ
-ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଜଣାନ୍ତୁ
-ଗରିବ କଲ୍ୟାଣ ଦିଗରେ ଅଧିକ ଫୋକସ କରନ୍ତୁ

ସୋମବାର, ମଙ୍ଗଳବାର ଓ ବୁଧବାର ପର୍ଯ୍ୟାୟକ୍ରମେ ସାଂସଦମାନଙ୍କୁ ନେଇ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏବେ ଦେଖିବାକୁ ବାକି ରହିଛି ସାଂସଦମାନଙ୍କୁ ଦେଇଥିବା ବିଜୟ ମନ୍ତ୍ରକୁ ପ୍ରକୃତରେ ସାଂସଦମାନେ କେତେଦୂର କାର୍ଯ୍ୟରେ ପରିଣତ କରୁଛନ୍ତି ।

ବିଜେପିର ପରମ ପ୍ରତିଦ୍ୱନ୍ଦୀ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତିକୁ ଜୋରଦାର କରୁଛି । ବୁଧବାର ଗୋଟେପଟେ ଏନଡିଏ ସାଂସଦଙ୍କ ବୈଠବ ବସିିଥିବାବେଳେ ଅନ୍ୟପଟେ ଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ନେତା ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । କର୍ଣ୍ଣାଟକ କଂଗ୍ରେସ ବିଧାୟକଙ୍କୁ ନେଇ ବସିଥିବା ବୈଠକରେ ଆଗାମୀ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରାଯାଇଥିବା ଜଣାପଡିଛି ।