ବାରବାଟୀରେ ପହଞ୍ଚିଲେ ଦୁଇ ଦଳର ଯୋଦ୍ଧା: କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରୁ ଯାଇ କଟକରେ ପହଞ୍ଚିଲେ । ଦିନ ଦେଢଟାରେ କ୍ରିକେଟ ମୈଦାନରେ ହେବେ ମୁହାଁମୁହିଁ

122

କନକ ବ୍ୟୁରୋ: ବାରବାଟୀ ପହଞ୍ଚିଲେ ଦୁଇ ଦଳ । ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ ଟିମ୍ । କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ବାହାରି କଟକ ବାରବାଟୀରେ ପହଞ୍ଚିଛନ୍ତି । ତେବେ ଆଉ କିଛି ସମୟ ପରେ ଅର୍ଥାତ ଦିନ ସାଢେ ଗୋଟାଏରେ ଖାଳାଯିବ ମ୍ୟାଚ । ବାରବାଟୀରେ କିଏ ମାରିବ ବାଜି ସମସ୍ତେ ରହିଛନ୍ତି ଚାହିଁ ।

ସେପଟେ ମ୍ୟାଚ ଦେଖିବାକୁ କ୍ରିକେଟ ଫ୍ୟାନ୍ସଙ୍କ ଭିଡ ଲାଗିଛି । ଷ୍ଟାଡିୟମ ଭିତରକୁ ଏଣ୍ଟ୍ରି ସକାଳରୁ ଆରମ୍ଭ ହୋଇ ଯାଇଛି । ତେବେ ଓଡିଆ କ୍ରିକେଟ ଫ୍ୟାନଙ୍କ ପାଇଁ ବିରଳ ସୁଯୋଗ ଆଣିଦେବ ଦେଇଛି ବାରବାଟୀ ଗ୍ରାଉଣ୍ଡ । କାରଣ ସିରିଜ ବିଜୟ ପାଇଁ ଆଜି କଟକ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍ । ଦୁଇ ଦଳ ମଧ୍ୟରେ ଆଜି ଖେଳିଯିବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ । ପ୍ରଥମ ଦୁଇଟି ମ୍ୟାଚ ପରେ ସିରିଜ ୧-୧ରେ ବରାବର ଥିବାରୁ ବାରବାଟୀ ମ୍ୟାଚର ଗୁରୁତ୍ୱ ବଢିଯାଇଛି । ଏଠାରେ ଯିଏ ଜିତିବ, ସିରିଜ ସିଏ କବଜା କରିବ । ତେଣୁ ଓଡିଆ ଦର୍ଶକ ବାରବାଟୀରେ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ପାଇବେ ।

ତେବେ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ବିସ୍ମିିତ କଲାଭଳି ପ୍ରଦର୍ଶନ କରିଥିଲେ ମଧ୍ୟ ବିଶାଖପାଟଣାରେ ଟିମ୍ ଇଣ୍ଡିଆ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ସଫଳ ପ୍ରତ୍ୟାବର୍ତନ କରିଥିଲା । କ୍ୟାପଟେନ୍ କୋହଲିଙ୍କ ‘ଡକ୍’ ଆଉଟକୁ ଛାଡିଦେଲେ ଅନ୍ୟ ସମସ୍ତ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଭାରତ ଏହା ପୂର୍ବରୁ କ୍ରମାଗତ ୯ ଥର ଦ୍ୱିପାକ୍ଷୀକ ସିରିଜ ବିଜୟୀ ହୋଇଛି । ତେଣୁ ବାରବାଟୀ ମ୍ୟାଚ ଜିତି ଦଳ ଏହି ସଂଖ୍ୟାକୁ ୧୦ରେ ପହଂଚାଇବାକୁ ଚେଷ୍ଟା କରିବ । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜକୁ ୨-୧ରେ କବଜା କରିଥିଲା କୋହଲି ବାହିନୀ ।