ଗେହଲଟଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ । ସୋନିଆ ନେବେ ଚୁଡ଼ାନ୍ତ ନିଷ୍ପତି

103

କନକ ବ୍ୟୁରୋ : ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭିତରେ ସୋମବାର ଦିଲ୍ଲୀ ଯାଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଅଶୋକ ଗେହଲଟ । କଂଗ୍ରେସ ସଭାପତିି ନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଗହେଲଟଙ୍କୁ ସଭାପତି ପ୍ରାର୍ଥୀ କରିବା ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଗାନ୍ଧୀ ପରିବାର । ଗେହଲଟଙ୍କ ଜଣେ ଅନୁଗତ ତଥା ରାଜସ୍ଥାନର ଜଣେ କଂଗ୍ରେସ ନେତା ଦଳର ସଭାପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଯାହା ଗାନ୍ଧୀ ପରିବାରକୁ ବ୍ୟଥିତ କରିଛି । ଏସବୁ ଭିତରେ ସୋମବାର ସୋନିଆ ଗେହଲଟଙ୍କୁ ନିଜର ମତ ସ୍ପଷ୍ଟ କରିବାକୁ କହିଥିବା ସୂଚନା ମିଳିଛି ।

କଂଗ୍ରେସ ସଭାପତି ପାଇଁ ଅଶୋକ ଗେହଲଟ ଗାନ୍ଧୀ ପରିବାରର ସବୁଠୁ ଅଧିକ ପସନ୍ଦ ରହିଥିଲେ ବି ରାଜସ୍ଥାନରେ ଦେଖାଦେଇଥିବା ବିବାଦ ପରେ ଦଳ ଏବେ ଦ୍ୱନ୍ଦ୍ୱରେ ଅଛି । ବିବାଦ ପଛରେ ଗେହଲଟଙ୍କ ପ୍ରମୁଖ ଭୂମିକା ଥିବା ସ୍ପଷ୍ଟ ବାରି ହୋଇପଡୁଥିବାରୁ ସେ ସଭାପତି ହେଲେ ରାଜସ୍ଥାନରେ ବିବାଦ ବଢିବ ନା କମିବ ତାକୁ ନେଇ ଚିନ୍ତାରେ ଅଛନ୍ତି କେନ୍ଦ୍ରୀୟ ନେତା । ତଥାପି ଗେହଲଟ ସଭାପତି ରେସରେ ଅଛନ୍ତି, କାରଣ ସେ ହେଉଛନ୍ତି ଗାନ୍ଧୀ ପରିବାରର ସବୁଠୁ ବିଶ୍ୱସ୍ଥ । ଏପଟେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଦିଲ୍ଲୀ ଡକାଯାଇଛି । ଯଦି ଗେହଲଟ ସଭାପତି ନଲଢନ୍ତି ଦିଗବିଜୟଙ୍କୁ ସଭାପତି ଲଢିବା ପାଇଁ କହିପାରନ୍ତି ଗାନ୍ଧୀ ପରିବାର । ପୂର୍ବରୁ ନିର୍ବାଚନ ଲଢିବେ ନାହିଁ ବୋଲି ଦିଗବିଜୟ କହିଥିଲେ କିନ୍ତୁ ଏବେ ସ୍ଥିତି ଅଲଗା ଥିବାରୁ ସେ ହୁଏତ ମଇଦାନକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି ।

ଯଦି ଗେହଲଟ ସଭାପତି ରେସରୁ ବାଦ ପଡନ୍ତି ତେବେ ଗାନ୍ଧୀ ପରିବାରର ସମର୍ଥନରେ କିଏ ନାମାଙ୍କନ ଦାଖଲ କରିବ ତାହା ଉପରେ ନଜର ରହିଛି । ଆଉ ଯଦି ଗେହଲଟ ସଭାପତି ପାଇଁ ନାମାଙ୍କନ ଦାଖଲ କରନ୍ତି ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ଚିନ୍ତାରେ ପଡିଯାଇଛନ୍ତି କଂଗ୍ରେସ ହାଇକମାଣ୍ଡ ।