ପେଟ୍ରୋଲ ପମ୍ପରେ ମାଗଣାରେ ମିଳିଥାଏ ଏସବୁ ସୁବିଧା, ଜାଣନ୍ତୁ ଓ ନିଜର ଅଧିକାର ଜାହିର କରନ୍ତୁ

10,415

କନକ ବ୍ୟୁରୋ : ସାଧାରଣ ଲୋକଙ୍କର ଧାରଣାରେ ପେଟ୍ରୋଲ ପମ୍ପରେ କେବଳ ପେଟ୍ରୋଲ, ଡିଜେଲ ଓ ମୋବିଲ ମିଳିଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପେଟ୍ରୋଲ ପମ୍ପ ମାଲିକମାନେ ତୈଳ କମ୍ପାନୀମାନଙ୍କ ସହ ଚୁକ୍ତି କରିବା ବେଳେ କେବଳ ତୈଳ ନୁହେଁ ଅନେକ ଗୁଡିଏ ସୁବିଧା ଲୋକଙ୍କୁ ଯୋଗାଇ ଦେବାକୁ ଚୁକ୍ତି କରିଥାନ୍ତି । ହେଲେ କିଛି ପେଟ୍ରୋଲ ପମ୍ପରେ ତୈଳ ବିକ୍ରି ବ୍ୟତୀତ ଅନ୍ୟାନ୍ୟ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେଉଥିବା ବେଳେ ଅଧିକାଂଶ ପେଟ୍ରୋଲ ପମ୍ପ କେବଳ ତୈଳ ବିକ୍ରି କରିଥାନ୍ତି । ତେବେ ଆସନ୍ତୁ ଜାଣିବା ପେଟ୍ରୋଲ ପମ୍ପରେ ତୈଳ ବ୍ୟତୀତ ଆପଣଙ୍କ କେଉଁ କେଉଁ ସୁବିଧା ମିଳିବା କଥା

କୌଣସି ପେଟ୍ରୋଲ ପମ୍ପରେ ଆପଣ ଆପଣଙ୍କ ଗାଡିରେ ପ୍ରେସର ଦେବା କିମ୍ବା ପ୍ରେସର ଚେକ କରିବାର ମାଗଣା ସୁବିଧା ରହିଛି । ଆପଣଙ୍କୁ ଏ ବାବଦରେ ଗୋଟିଏ ବି ଟଙ୍କା ଦେବାକୁ ପଡିବ ନାହିଁ । ଏଥିପାଇଁ ପେଟ୍ରୋଲ ପମ୍ପ ମାଲିକ କର୍ମଚାରୀ ମଧ୍ୟ ନିଯୁକ୍ତ କରିବା ବାଧ୍ୟତାମୂଳକ ।

ପେଟ୍ରୋଲ ପମ୍ପରେ ଆପଣଙ୍କୁ ମାଗଣାରେ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ । ପେଟ୍ରୋଲ ପମ୍ପ ମାଲିକମାନେ ତୈଳ କମ୍ପାନୀ ସହ ଏସବୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଚୁକ୍ତି କରିଥାନ୍ତି ।

ପ୍ରତିଟି ପେଟ୍ରୋଲ ପମ୍ପରେ ମହିଳା, ପୁରୁଷ ଓ ଦିବ୍ୟାଙ୍ଗଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ନିର୍ମାଣ କରିବା ବାଧ୍ୟତାମୂଳକ । ଆପଣ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିଣନ୍ତୁ କି ନାହିଁ, ହେଲେ ପେଟ୍ରୋଲ ପମ୍ପ ତରଫରୁ ସମସ୍ତ ନାଗରିକଙ୍କ ପାଇଁ ଏସବୁ ସୁବିଧା ମାଗଣାରେ ଯୋଗାଇ ଦେବା ବାଧ୍ୟତାମୂଳକ ।

ଯଦି ଆପଣ କୌଣସି ଜରୁରୀ ପରିସ୍ଥିତିରେ ପଡିଯାଇଛନ୍ତି ତେବେ ଆପଣଙ୍କୁ ପେଟ୍ରୋଲ ପମ୍ପ ତରଫରୁ ମାଗଣା ଫୋନ କଲ ସୁବିଧା ଯୋଗାଇ ଦେବା ଅର୍ନିବାର୍ଯ୍ୟ । ଏଠାରେ ଆପଣଙ୍କୁ ଲ୍ୟାଣ୍ଡଲାଇନ କିମ୍ବା ମୋବାଇଲ ଫୋନ କଲର ସୁବିଧା ମାଗଣାରେ ମିଳିଥାଏ ।

ପେଟ୍ରୋଲ ପମ୍ପଗୁଡିକରେ ଫାଷ୍ଟଏଡ କିଟ୍ ରହିବା ବାଧ୍ୟତାମୂଳକ । ଯେଉଁଥିରେ ବ୍ୟାଣ୍ଡେଜ, ଅଏଣ୍ଟମେଣ୍ଟ ସହ ପେନ୍ କିଲର, ପାରାସିଟାମଲ ଭଳି ମେଡିସିନ ରହିଥାଏ । ଯାହାର ବ୍ୟବହାର ଆପଣ ଜରୁରୀ ପରିସ୍ଥିତିରେ ମାଗଣାରେ କରିପାରିବେ ।

ପେଟ୍ରୋଲ ପମ୍ପରେ ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଆଖ ପାଖରେ କୌଣସି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଲା ତେବେ ଏହାର ବ୍ୟବହାର ମାଗଣାରେ କରାଯାଇଥାଏ । ଏଥିପାଇଁ ପେଟ୍ରୋଲ ପମ୍ପ ତରଫରୁ ଜଣେ ଅପରେଟରଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ ।