୨୭ ବର୍ଷ ଚାକିରିରେ ଦିନେ ବି ଛୁଟି ନେଇନାହାଁନ୍ତି । ଅବସର ସମୟରେ ମିଳିଲା ସ୍ୱତନ୍ତ୍ର ଉପହାର

16,371

କନକ ବ୍ୟୁରୋ: ୨୭ ବର୍ଷର ଚାକିରି ଭିତରେ ଦିନଟିଏ ବି ଛୁଟି ନେଇନାହାଁନ୍ତି । ଘରେ ଯେତେ ସମସ୍ୟା ଥାଉ କିମ୍ବା ନିଜେ ଯେତେ ଅସୁସ୍ଥ ଥିଲେ ବି କମ୍ପାନୀ ପାଇଁ କରିଛନ୍ତି କାମ । ତାଙ୍କର ବ୍ୟବହାରରେ ମଧ୍ୟ ଗ୍ରାହକ ବେଶ୍ ଖୁସି । ତେଣୁ ତାଙ୍କ ଅବସରରେ ତାଙ୍କୁ ଏଭଳି ଉପହାର ମିଳିଛି ଯାହା ସେ କେବେ ସ୍ୱପ୍ନରେ ବି ଚିନ୍ତା କରିନଥିଲେ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଲାସବେଗାସ୍ ବାସିନ୍ଦା କେଭିନ୍ ଫୋର୍ଡ । ବର୍ତ୍ତମାନ ତାଙ୍କୁ ୫୪ ବର୍ଷ । ଏ ବୟସରେ ବି ସେ ବେଶ୍ ସକ୍ରିୟ । ଚାକିରି ଜୀବନରେ କେବେବି ଛୁଟିରେ ରହିନଥିବା କେଭିନ୍ ଏବେ ଅବସର ଗ୍ରହଣ କରିଛନ୍ତି । ହେଲେ ତାଙ୍କୁ ତାଙ୍କ ଚାକିରି ଜୀବନର ନିଷ୍ଠା କୋଟିପତି କରିଦେଇଛି । ଅତି ସମୟାନୁବର୍ତ୍ତୀ ହେବା ସହ ସେ ଭାରି ମେଳାପୀ ଓ ଉପକାରୀ । ଏଠିକାର ଲୋକପ୍ରିୟ ‘ବର୍ଗର କିଙ୍ଗ’ ରେ ଚାକିରି କରୁଥିବା ସମୟରେ ତାଙ୍କ ବ୍ୟବହାରରେ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ । ତେଣୁ ତାଙ୍କ ଚାକିରି ରେକର୍ଡ ସହ ଗ୍ରାହକଙ୍କ ସନ୍ତୁଷ୍ଟି ଆଧାରରେ ଅବସର ଉପହାର ସହ କେଭିିନଙ୍କୁ ୩ କୋଟି ୨୬ ଲକ୍ଷ ଟଙ୍କା ଉପହାର ଦେଇଛି କମ୍ପାନୀ । ଏହି ଅର୍ଥରେ ଗ୍ରାହକ ଖୁସିରେ ଦେଇଥିବା ଅର୍ଥ ମଧ୍ୟ ମିଶିଛି ।

କେବଳ ଏତିକି ନୁହେଁ କେଭିନଙ୍କ ବ୍ୟବହାର ଯୋଗୁଁ ଅବସର ସମୟରେ ତାଙ୍କ ସହକର୍ମୀମାନେ ତାଙ୍କୁ ଫିଲ୍ମ ଟିକେଟ ସହ ସ୍ନାକ୍ସ, ଷ୍ଟାରବକ୍ସ ଡ୍ରିଙ୍କସ୍, ପେନ୍, ଲାଇଟର ଭଳି ଛୋଟ ଛୋଟ ଗୁଡିଏ ଉପହାର ଦେଇଛନ୍ତି । ଏହାପରେ କେଭିନ୍ ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।