ଟ୍ରାଫିକ ନିୟମକୁ ନେଇ ବିଭିନ୍ନ ଦେଶରେ ରହିଛି ବିଭିନ୍ନ ଆଇନ, ଏସବୁ ଦେଶର ଟ୍ରାଫିକ ନିୟମ ଜାଣିଲେ ହୋଇଯିବେ ଚକିତ

237

କନକ ବ୍ୟୁରୋ : ସବୁ ଦେଶରେ ଟ୍ରାଫିକକୁ ନେଇ ବିଭିନ୍ନ ପ୍ରକାର ନିୟମ ରହିଥାଏ । ଆଉ ଏହି ନିୟମ ଉଲ୍ଲଘଂନ କଲେ ଚାଳକଙ୍କୁ ମୋଟା ଅଙ୍କର ଫାଇନ ବି ଦେବାକୁ ପଡେ । ଆମ ରାଜଧାନୀ ଭୁବନେଶ୍ୱରରେ ବି ଏମିତି ଟ୍ରାଫିକ ନିୟମ କଡାକଡି ହେବା ସହ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ଆଜି ଆମେ ଏମିତି କିଛି ଦେଶର ଟ୍ରାଫିକ ନିୟମ ବିଷୟରେ ଆପଣଙ୍କୁ କହିବୁ ଯେଉଁ ନିୟମ ବିଷୟରେ ଆପଣ ଜାଣିଲେ ତାଜୁବ ହୋଇଯିବେ । ଏମିତି ଟ୍ରାଫିକ ନିୟମ ବିଷୟରେ ନା ଆପଣ କେବେ ଶୁଣିଥିବେ ନା ଜାଣିଥିବେ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାକାର ସରକାର ଏହି ନିୟମ ଜାରି କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦେଶରେ ରହିଛି ଏମିତି ଅଜବ ଟ୍ରାଫିକ ନିୟମ ।

ପ୍ରଥମେ ଆରମ୍ଭ କରିବା ଋଷରୁ । ଋଷରେ ଯଦି କୌଣସି ବ୍ୟକ୍ତି ଧୂଳି ଲାଗିଥିବା କାର ଚଳାନ୍ତି ତେବେ ତାଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । ଏଠାରେ ଧୂଳି ଲାଗିଥିବା କାର ଚଳାଇଲେ ୩୦ ୟୁରୋ ଟଙ୍କାର ଫାଇନ ଲାଗେ । ଯାହାର ଭାରତୀୟ ମୂଲ୍ୟ ୨ ହଜାର ୬୮୨ ଟଙ୍କା ।

ସେହିପରି ସ୍ପେନରେ ଗାଡି ଚଲାଇଲା ବେଳେ ସନଗ୍ଲାସେସ ପିନ୍ଧିବା ବାଧ୍ୟତାମୂଳକ । ଯଦି ବିନା ସନଗ୍ଲାସେସରେ ଏଠାରେ ଟ୍ରାଫିକ ପୋଲିସ କାହାକୁ ଧରନ୍ତି ତେବେ ତାଙ୍କଠାରୁ ଚାଲାଣ କଟାଯାଏ   । ଖରା ଯୋଗୁଁ ଯେପରି କୌଣସି ଚାଳକଙ୍କ ଦୁର୍ଘଟଣା ନହୁଏ ସେଥିପାଇଁ ସ୍ପେନ ସରକାର ଏପରି ନିୟମ କରିଛନ୍ତି ।

ଥାଇଲାଣ୍ଡରେ ଏପରି ଏକ ଟ୍ରାଫିକ ନିୟମ ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଥାଇଲାଣ୍ଡରେ ଉଭୟ ପୁରୁଷ ଓ ମହିଳାଙ୍କୁ ଟପଲେସ ବା ସାର୍ଟ ଲେସ୍ ଡ୍ରାଇଭିଂ କରିବା ଉପରେ ରୋକ ଲଗାଯାଇଛି । ଏଠାରେ ଯଦି କେହି ସାର୍ଟ ଖୋଲି ଡ୍ରାଇଭିଂ କରନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡେ । ଏଠାରେ ଏପରି ଡ୍ରାଇଭିଂକୁ ଅଶ୍ଲିଳ ପ୍ରଦର୍ଶନ ବୋଲି କୁହାଯାଏ   । ତେଣୁ ଧରାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।

ଅନେକ ଦେଶରେ ମଦ ପିଇ ଗାଡି ଚଲାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥାଏ । ଏପରି କଲେ କେଉଁଠି ଫାଇନ କଟେ ତ ଆଉ କେଉଁଠି ଜେଲ ଦଣ୍ଡ ମଧ୍ୟ ମିଳିଥାଏ ହେଲେ ଫ୍ରାନ୍ସରେ ଗାଡି ଚଲାଇଲା ବେଳେ କିଛି ଖାଇବା ହେଉଛି ଅପରାଧ । ଏପରିକି ଆପଣ ଗାଡି ଚଲାଇଲାବେଳେ କଫି ବି ପିଇପାରିବେନି । ଆଉ ନିୟମ ଉଲ୍ଲଘଂନ କଲେ ଜରିମାନା ଦେବାକୁ ପଡେ । ଏହି ନିୟମ ଉଲ୍ଲଘଂନ ପାଇଁ ୩୫ ୟୁରୋ ଫାଇନ କଟିଥାଏ, ଯାହାର ଭାରତୀୟ ମୂଲ୍ୟ ୩ ହଜାର ୧୩୦ ଟଙ୍କା ।

ସାଉଦି ଆରବର ଟ୍ରାଫିକ ନିୟମ ବେଶ ଅଜବ । କାରଣ ଏଠାରେ ମହିଳାମାନଙ୍କ ଡ୍ରାଇଭିଂ ଉପରେ କଟକଣା ଲଗାଯାଇଥାଏ । ଏଠାରେ ମହିଳାମାନେ କାର ଡ୍ରାଇଭିଂ କରିପାରିବେ ନାହିଁ । ଆଉ ଏହି ନିୟମ ଉଲ୍ଲଘଂନ କଲେ ଫାଇନ ଆଦାୟ କରାଯାଇଥାଏ ।

ତେବେ ଏହି ସବୁ ଥିଲା ବିଭିନ୍ନ ଦେଶର ଅଜବ ଟ୍ରାଫିକ ନିୟମ । ନିଜ ଦେଶର ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଅଜବ ନିୟମ କରିଛନ୍ତି ସେଠାକାର ସରକାର । ତେବେ ଆମେ ବି ଆମ ସରକାରଙ୍କ ଟ୍ରାଫିକ ନିୟମକୁ ମାନିବା ଆଉ ନିଜ ଜୀବନ ବଞ୍ଚାଇବା ସହ ଅନ୍ୟମାନଙ୍କ ଜୀବନକୁ ବି ସୁରକ୍ଷିତ ରଖିବା ।