ଜେଲରୁ ମୁକୁଳିଲେ ଇମ୍ରାନ ଖାନ : ହେଲେ ଘରେ ନୁହେଁ ପୋଲିସ ଗେଷ୍ଟ ହାଉସରେ କଟିଲା ରାତି; ଆଜି ଇସଲାମାବାଦ କୋର୍ଟରେ ହେବେ ହାଜର

177

କନକ ବ୍ୟୁରୋ : ଆଶ୍ୱସ୍ତ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ସୁପ୍ରିମକୋର୍ଟଙ୍କ ରାୟ ପରେ ମୁକୁଳିଛନ୍ତି ଇମ୍ରାନ୍ ଖାନ୍ । ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ଦର୍ଶାଇ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତୁରନ୍ତ ଇମ୍ରାନ ଖାନଙ୍କୁ ଜେଲରୁ ମୁକ୍ତ କରି ଦିଆଯାଇଛି । ହେଲେ ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇ ନାହାନ୍ତି ।

ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ହାଜର ହେବାକୁ ଥିବାରୁ ଓ ସୁରକ୍ଷା ଦୃଷ୍ଟିରୁ ପିଟିଆଇ ମୁଖ୍ୟଙ୍କୁ ପୁଲିସ ଲାଇନ ଗେଷ୍ଟ ହାଉସକୁ ପଠାଇ ଦିଆଯାଇଥିଲା । ସେଠାରେ ସୁପ୍ରିମକୋର୍ଟଙ୍କ ହେପାଜତରେ ରାତି କାଟିଛନ୍ତି ଇମ୍ରାନ ଖାନ । ସେଠାରେ ନିଜ ପରିବାର ଲୋକଙ୍କ ସମେତ ୧୦ ଜଣଙ୍କୁ ସାକ୍ଷାତ ଅନୁମତି ଦିଆଯାଇଛି । ହାଇକୋର୍ଟରେ ହାଜର ପୂର୍ବରୁ ଇମ୍ରାନଙ୍କୁ ଅନ୍ୟ ମାମଲାରେ ଯେମିତି ଗିରଫ କରାନଯିବ ସେଇଥିପାଇଁ ସୁପ୍ରିମକୋର୍ଟ ନିଜ ହେପାଜତରେ ରଖିଛନ୍ତି ।

ଆଜି ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ଖାନ ଅଲ କାଦରି ଟ୍ରଷ୍ଟ ମାମଲାରେ ହାଜର ହେବେ । ସେପଟେ ପାକ ଗୃହମନ୍ତ୍ରୀ ରାଣା ସନାଉଲାହ କହିଛନ୍ତି, ମେ ୧୨ରେ ହାଇକୋର୍ଟରୁ ଇମ୍ରାନଙ୍କୁ ଜାମିନ ନମିଳିଲେ ପୁଣି ଗିରଫ କରାଯିବ । ତାଙ୍କୁ ଛଡା ଯିବ ନାହିଁ, ସତ ପାକିସ୍ତାନ ଲୋକଙ୍କ ସାମ୍ନାକୁ ଆସିବା ଦରକାର ବୋଲି କହିଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ । ଅନ୍ୟପଟେ ପୁଲିସ ହେପାଜତରୁ ମୁକ୍ତ ହେବା ପରେ ଇମ୍ରାନ ଖାନ ନିଜ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।