‘ପିଓକେ ଉପରେ କବଜା କରିବ ଭାରତ’, ପାକିସ୍ତାନ ନିଦ ହଜାଇଲା ଆମେରିକା ପ୍ରଫେସରଙ୍କ ବୟାନ

239

କନକ ବ୍ୟୁରୋ : ପ୍ରତିଟି କ୍ଷେତ୍ରରେ ପଛୁଆ ପଡ଼ିଯାଇଥିବା ପାକିସ୍ତାନରେ ସ୍ଥିତି ଦିନକୁ ଦିନକୁ ଅଣାୟତ ହେବାରେ ଲାଗିଛି । ଆର୍ଥିକ କ୍ଷେତ୍ରରେ ସୁଧାର ପାଇଁ ପାକିସ୍ତାନ ଏବେ ଅନ୍ୟ ଦେଶର ସହାୟତା ଲୋଡ଼ୁଛି । ମହଙ୍ଗା, ବେକାରୀ, ଦୁର୍ନୀତିକୁ ନେଇ ଚିନ୍ତାରେ ଥିବା ଲୋକେ ଶହବାଜ ସରକାରଙ୍କୁ ଘେରିଛନ୍ତି । ପାକିସ୍ତାନରେ ମଧ୍ୟ ସ୍ଥିତିରେ ଶୀଘ୍ର ସୁଧାର ଆସିବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆଉ ଯଦି ଆଗକୁ ଏପରି ସ୍ଥିତି ଲାଗି ରହିବ, ତେବେ ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇଯିବ ବୋଲି ସେମାନେ କହିଛନ୍ତି । ଆମେରିକାର ଡେଲାୱେର ବିଶ୍ୱବିଦ୍ୟାଳୟର ଇସଲାମିଜକ୍ ଷ୍ଟଡିଜ୍ ପ୍ରୋଗ୍ରାମର ଫାଉଣ୍ଡିଂ ଡାଇରେକ୍ଟର ପ୍ରଫେସର ମୁକ୍ତେଦର ଖାନ୍ ଏପରି ଅନୁମାନ କରିଛନ୍ତି । ପାକିସ୍ତାନ ଉପରେ ବର୍ତମାନ ସଂକଟର ବାଦଲ ଦେଖା ଦେଇଛି, ତାହା ଆଗକୁ ଏପରି ଭୟଙ୍କର ରୂପ ନେବା ସହ ଦେଶକୁ ବିଭାଜନ କରିପାରେ ବୋଲି ସେ ଆକଳନ କରିଛନ୍ତି ।

ପ୍ରଫେସର ମୁକ୍ତେଦାର ଖାନ୍ କହିଛନ୍ତି, ବର୍ତମାନ ସମୟରେ ଭାରତ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିପାରେ । ଆଉ ପିଓକେ ଓ ଅବଶିଷ୍ଟ ଅଂଚଳକୁ ନିଜ ଅଧୀନରେ ନେଇପାରେ । କାରଣ ପାକିସ୍ତାନ ବର୍ତମାନ ସବୁଦିଗରୁ ଦୁର୍ବଳ ହୋଇପଡ଼ିଛି । ପାକିସ୍ତାନ ଯେଉଁ ପ୍ରମୁଖ ସଂକଟ ଦେଇ ଗତି କରୁଛି, ସେଗୁଡ଼ିକ ହେଲା, ରାଜନୈତିକ ସଂକଟ, ସୁରକ୍ଷା ସଂକଟ, ବ୍ୟବସ୍ଥା ସଂକଟ, ପରିଚୟ ସଂକଟ ଓ ପରିବେଶ ସଂକଟ । ୨୦୨୩ରେ ଏସବୁ ସଂକଟ ଯୋଗୁଁ ପାକିସ୍ତାନର ବିଭାଜନ କିମ୍ବା ଦେଶର ସମସ୍ତ ସରକାରୀ ଅନୁଷ୍ଠାନର ବିଫଳତାର କାରଣ ହୋଇପାରେ ବୋଲି ସେ କହିଛନ୍ତି । ଯଦି ଏପରି ଘଟେ, ତେବେ ଲକ୍ଷାଧିକ ଶରଣାର୍ଥୀ ପାକିସ୍ତାନ ଛାଡ଼ି ଅନ୍ୟ ଦେଶରେ ବସବାସ କରିବେ । ବିଶେଷକରି ଭାରତ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ମୁକ୍ତେଦର କହିଛନ୍ତି ।

ପ୍ରଫେସର ମୁକ୍ତେଦର ଖାନ୍ କହିଛନ୍ତି, ଇମ୍ରାନ୍ ଖାନ୍ କ୍ଷମତାରୁ ହଟିବା ପରେ ପାକିସ୍ତାନରେ ରାଜନୈତିକ ସଂକଟ ଦେଖା ଦେଇଛି । ରାଜନୈତିକ ସଂକଟ ଯୋଗୁଁ ପାକିସ୍ତାନରେ ସରକାର ଠିକ୍ ଭାବେ ଚାଲିପାରୁନାହିଁ । ସରକାରଙ୍କ ପାଇଁ କାମ କରିବା ମଧ୍ୟ ଅସମ୍ଭବ ହୋଇଗଲାଣି । ତେଣୁ ସ୍ଥିତିରେ ସୁଧାର ନଆସିଲେ, ଆଗକୁ ପରିଣାମ ଆହୁରି ଭୟଙ୍କର ହେବା ସହ ଦେଶ ବିଭାଜନ ଆଡ଼କୁ ଅଗ୍ରସର ହେବ ବୋଲି ସେ କହିଛନ୍ତି ।