ମଉଳିଯିବ ନୀତିଶଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ, କାହିଁକି ନୀତିଶଙ୍କୁ ଡାକିଲେନି କେସିଆର?

357

କନକ ବ୍ୟୁରୋ : ମୋଦୀଙ୍କୁ ମାତ୍ ଦେବାକୁ ଦିଲ୍ଲୀରେ ବିରୋଧୀଙ୍କ ମେଳି ପରେ ଏବେ ଦେଶରେ ସବୁଠି ଏହାକୁ ନେଇ ଚର୍ଚ୍ଚା । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଯୋଜନା କରୁଥିବା ବିରୋଧୀଙ୍କ ମେଳି କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିଲାଣି । କାରଣ ଏବେ ବିରୋଧୀଙ୍କ ମଧ୍ୟରେ ଫାଟ ଦେଖାଦେଲାଣି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନେତୃତ୍ୱରେ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ପ୍ରମୁଖ ବାମ ଦଳଗୁଡିକର ମୁଖ୍ୟ ଡି ରାଜା, ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଭାରତ ରାଷ୍ଟ୍ର ସମିତି ରାଲିରେ ଯୋଗ ଦେଇଥିଲେ । କିନ୍ତୁ ବିଜେପି ସହ ମେଂଟ ଭାଙ୍ଗି ଆରଜେଡି ସହ ମିଶି ବିହାରରେ ସରକାର ଗଢିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏହି ବୈଠକକୁ ଆମନ୍ତ୍ରଣ ନକରିବା ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିହାର ମୁଖ୍ୟମନ୍ତ୍ରୀ ପଦବି ଛାଡି ଜାତୀୟସ୍ତରରେ ବିରୋଧୀଙ୍କୁ ଏକାଠୀ କରି ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ନୀତିଶ କୁମାରଙ୍କ ସ୍ୱପ୍ନ ମଉଳିଯାଇଛି । ନୀତିଶକୁ ବିରୋଧୀଙ୍କ ବୈଠକକୁ ଡକାନଯିବା ନେଇ ଜେଡିୟୁ ଜାତୀୟ ସାଧାରଣ ସମ୍ପାଦକ କେ.ସି ତ୍ୟାଗି କହିଛନ୍ତି, କେସିଆର ସବୁବେଳେ ଅଣବିଜେପି ଏବଂ ଅଣକଂଗ୍ରେସ ସରକାର ସାମୁଖ୍ୟ କଥା କହୁଛନ୍ତି କିନ୍ତୁ ଆମେ ଅଣ ବିଜେପି ଭିତରେ ଥିବା ଅଛୁଆଁ ରାଜନୀତିକୁ ବିରୋଧ କରୁଛୁ । ତେବେ ନୀତିଶ କହିଛନ୍ତି, କେଆସିଆରଙ୍କ ରାଲି ବିଷୟରେ ଜାଣିନାହାଁନ୍ତି । ସେ ତାଙ୍କ ପାଇଁ କିଛି ଚାହାଁନ୍ତିନି । କିନ୍ତୁ ବିରୋଧୀଙ୍କୁ ଏକାଠୀ କରିବାର ତାଙ୍କର ଗୋଟିଏ ସ୍ୱପ୍ନ ଅଛି ଯାହାଦ୍ୱାରା ଦେଶର ବିକାଶ ହେବ । ତେବେ ନୀତିଶ ବିଶ୍ୱାସଯୋଗ୍ୟ ହୋଇନଥିବାରୁ ତାଙ୍କୁ ଡକାଯାଇନଥିବା ଚର୍ଚ୍ଚା ହେଉଛି ।

୨୦୨୪ ନିର୍ବାଚନ ପୂର୍ବରୁ ୯ ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାର ଅଛି । ଏହିସବୁ ରାଜ୍ୟର ନିର୍ବାଚନ ଫଳାଫଳ କେଉଁ ଦଳ ସପକ୍ଷରେ ରହୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ହେଲେ ବିରୋଧୀଙ୍କ ମଧ୍ୟରେ ଦେଖାଦେଇଥିବା ଫାଟ ବିଜେପିକୁ ନିଶ୍ଚତ ସୁହାଇବ ବୋଲି କୁହାଯାଉଛି ।