ଶେଷରେ ମାନିଲା ପାକିସ୍ତାନ ! ନିଜମାଟିରୁ ଆତଙ୍କବାଦୀ ସଂଗଠନ ପରିଚାଳିତ ହେଉଥିବା ସ୍ୱୀକାର କଲେ ପାକ୍ ବୈଦେଶିକ ମନ୍ତ୍ରୀ

41

କନକ ବ୍ୟୁରୋ : ଶେଷରେ ନିଜ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବା ମାନିଛି ପାକିସ୍ତାନ । ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆସିଫ ଏହାକୁ ସ୍ୱୀକାର କରି କହିଛନ୍ତି, ପାକିସ୍ତାନରୁ ଆନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କରଇ ତୋଇବା ଓ ଜୈସ ଏ ମହମ୍ମଦ ପରିଚାଳିତ ହେଉଛି । ବ୍ରିକ୍ସରେ ଘୋଷଣା ନାମା ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା ଚୀନର ଆନୁଷ୍ଠାନିକ ମନ୍ତବ୍ୟ ନାହିଁ । କାରଣ ଏହି ସଂଗଠନରେ ଭାରତ, ଋଷ, ବ୍ରାଜିଲ ଓ ଦ କ୍ଷିଣ ଆଫ୍ରିକା ପରି ଦେଶ ମଧ୍ୟ ରହିଛନ୍ତି ।

ପରିବର୍ତିତ ପରିସ୍ଥିତିରେ ବନ୍ଧୁ ରାଷ୍ଟ୍ରର ମନ୍ତବ୍ୟକୁ ନେଇ ଅଧିକ ଚର୍ଚ୍ଚା କରିବା ଅନୁଚିତ ବୋଲି ଆସିଫ୍ କହିଛନ୍ତି । ଏହାସହ ଏହି ସବୁ ସଂଗଠନକୁ ରୋକ ଲଗାଇବା ପାଇଁ କିଛି କାମ କରିବାକୁ ପଡିବ ବୋଲି ମଧ୍ୟ ସେ କହିଛନ୍ତି । ବିଶ୍ୱ ସମୁଦାୟର ପାକିସ୍ତାନ ଉପରେ ପଡୁଥିବା ଚାପ ଦୃଷ୍ଟିରୁ ଏମିତି କିଛି କରି ନିଜକୁ ପ୍ରମାଣିତ କରିବାକୁ ପଡିବ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ।

ସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସତର୍କ ସୂଚନା । ଏକା ସମୟରେ ପାକିସ୍ତାନ ଓ ଚୀନ ସହ କରିବାକୁ ପଡିପାରେ ଯୁଦ୍ଧ । ନୂଆ ଦିଲ୍ଲୀରେ ଏକ ସେମିନାରରେ ଯୋଗ ଦେଇ ଏହା କରିଛନ୍ତି ଜେନେରାଲ ରାୱତ । ପରମାଣୁ ଅସ୍ତ୍ର ଥିବା କିମ୍ବା ପଡୋଶୀ ଗଣତାନ୍ତ୍ରିକ ଦେଶ ସହ ଯୁଦ୍ଧ ହେବ ନାହିଁ ଭାବିବା ଭୁଲ ବୋଲି ସେନା ମୁଖ୍ୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପଡୋଶୀ ପାକିସ୍ଥାନ ଛାୟା ଯୁଦ୍ଧ ଜାରି ରଖିଥିବା ବେଳେ ସେ କେବେ ବି ସୁଧୁରିବ ନାହିଁ । ପାକିସ୍ଥାନ ଭାରତକୁ ତାର ସବୁଠାରୁ ବଡ ଶତ୍ରୁ ମନେକରେ ବୋଲି କହିଛନ୍ତି ଜେନେରାଲ ରାୱତ । ତାଙ୍କ ସହ ଭାରତ ମତଭେଦ ଦୂର ହେବା ସମ୍ଭାବନା କ୍ଷୀଣ ବୋଲି ସେ କହିଛନ୍ତି । ଆରପଟେ ଡୋକଲାମ ବିବାଦ ପ୍ରସଙ୍ଗରେ ସେ କହିଛନ୍ତି, ଚୀନ ନିଜକୁ ଅଧିକ ପ୍ରସ୍ତୁତ କରୁଛି ଏବଂ ଆଗାମୀ ସମୟରେ ସେମାନେ ଆଉ ଥରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ସମ୍ଭାବନା ରହିଛି । ନୂଆ ନୂଆ ସ୍ଥାନରେ ଚୀନ ସେନା ପଶି ଆସିବାକୁ ଉଦ୍ୟମ କରିବ ଏବଂ ସେଥିପାଇଁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେନାମୁଖ୍ୟ ସତର୍କ ବାଣୀ ଶୁଣାଇଛନ୍ତି । ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହେଲେ ପାକିସ୍ତାନ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିପାରେ ବୋଲି ସେ କହିଛନ୍ତି । ତେଣୁ ଭାରତୀୟ ସେନା ସବୁ ପରିସ୍ଥିତି ପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି