ବନ୍ଧୁତାର ହାତ ବଢାଇଲା ପାକ ସେନା । କପଟ କରୁଛି ନା ସତ କହୁଛି ?

41

ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନୀ ସେନା ଆଗ୍ରହୀ । ପଡୋଶୀ ଭାରତ ସହ ସମ୍ପର୍କରେ ସୁଧାର ପାଇଁ ପାକିସ୍ତାନସେନା, ସରକାରକୁ କହିଛି । ପାକିସ୍ତାନ ସେନା ମୁଖ୍ୟ କ୍ୱାମର ଜାଭେଦ ବାଜୱା ପାକିସ୍ତାନର ସମସ୍ତ ବିଧାୟକ ଓ ସାଂସଦଙ୍କୁ ନିବେଦନକରିବା ସହ ଭାରତ ସହ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ପାଇଁ ସେନା ସହଯୋଗକରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଭାରତ -ପାକିସ୍ତାନ ସମ୍ପର୍କରେ ମଜବୁତ କରିବା ପାଇଁ ପାକିସ୍ତାନ ରାଜନେତାଙ୍କୁ ସହଯୋଗ କରିବାକୁ ସେନା ପ୍ରସ୍ତୁତ ବୋଲି ସେନାମୁଖ୍ୟ ବାଜୱା ସଂସଦର ସିନେଟ କମିଟି ଆଗରେ କହିଛନ୍ତି । ଜେନେରାଲ ବାଜୱାଙ୍କୁ ସିନେଟ ଅଧ୍ୟକ୍ଷ ରାଜା ରବ୍ୱାନୀ ଓ ଇଂଟର ସର୍ଭିସ ଇଂଟେଲିଜେନ୍ସ ବା ଆଇଏସଆଇ ମୁଖ୍ୟ ନଭୀଦ ମୁଖତାର ନିମନ୍ତ୍ରଣ କରିଥିଲେ । ବରିଷ୍ଠ ସେନା ଅଧିକାରୀ, ମେଜର ଜେନେରାଲ ସାହିର ଶାମସାଦ ମୀର୍ଜା ଓ ମେଜର ଜେନାରାଲ ଆସିମ ମୁନିର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ପାଖାପାଖି ସାଢେ ୪ଘଂଟା ଧରି ଚାଲିଥିଲା ଆଲୋଚନା ।

ବିଶ୍ୱସ୍ତସୂତ୍ରରୁୁ ମିଳିଥିବା ସୂଚନା ଅନୁସାରେ ଜେନେରାଲ ବାଜୱା କହିଛନ୍ତି , ସମସ୍ତ ପଡୋଶୀ ରାଷ୍ଟ୍ରଗୁଡିକ ସହ ସୁସମ୍ପର୍କ ସେ ଚାହୁଁଛନ୍ତି । ବିଧାୟକଙ୍କୁ ଭାରତ ସହ ସମ୍ପର୍କ ବଢାଇବା ପାଇଁ ଗୁରୁତ୍ୱ ଦେଇଛନ୍ତି । ଏଥିରେ ସେ ସମସ୍ତପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ପାକିସ୍ତାନୀ ସେନା କହିଛି କି ଭାରତ ସହ ଶାନ୍ତିପୂର୍ଣ୍ଣ ଚେଷ୍ଟାର ଅଭାବ ରହିଛି । କିନ୍ତୁ ଜେନେରାଲ ବାଜୱା କହିଛନ୍ତି ଭାରତର ଅନେକ ବରିଷ୍ଠ ସେନା ଅଧିକାରୀ ପାକିସ୍ତାନରେ ହିଂସା ପାଇଁ ଚାହୁଁଛନ୍ତି । ପାକିସ୍ତାନରେ ଅସ୍ଥିରତା ଓ ହିଂସା ସୃଷ୍ଟି କରିବା ପାଇଁ ଭାରତ ଚାହୁଁଥିବା ପାକିସ୍ତାନ ସେନାମୁଖ୍ୟ କହିଛନ୍ତି ।