୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଓୟୋ ! ଘୋଷଣା, ଜାଣନ୍ତୁ କାରଣ ?

153

କନକ ବ୍ୟୁରୋ : ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଥିବା ଓୟୋ ଏବେ କମ୍ପାନୀରୁ କର୍ମଚାରୀ ଛଟେଇ କରିବାକୁ ବିଚାର କରୁଛି । କମ୍ପାନୀ ସହିତ ଜଡିତ ସୂତ୍ର ସୂଚନା ମୁତାବକ ଏବେ କମ୍ପାନୀରେ ୩୭୦୦ କର୍ମଚାରୀ ରହିଛନ୍ତି । ଆଗାମୀ ଦିନରେ କମ୍ପାନୀ ମୋଟ କର୍ମଚାରୀରୁ ୧୦ ପ୍ରତିଶତ ଛଟେଇ କରିବାକୁ ଯୋଜନା କରୁଛି । ସେପଟେ କମ୍ପାନୀ ତରଫରୁ ଲୋକସଂପର୍କ ଓ ପରିଚାଳନା ପାଇଁ ୨୫୦ ଜଣ କର୍ମଚାରୀ ନିଯୁକ୍ତି କରିବାକୁ ଯାଉଛି । ଓୟୋ ତରଫରୁ କୁହାଯାଇଛି କି କମ୍ପାନୀର ସାଂଗଠନିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଥିବାରୁ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ତରଫରୁ ନିଜର ଉତ୍ପାଦ, ଇଂଜିନିୟରିଂ, କର୍ପୋରେଟ ମୁଖ୍ୟାଳୟ ଓ ଭେକେସନ ହୋମ୍ ଟିମକୁ ଛୋଟ କରିବାକୁ ଯୋଜନା କରିଛି । ସେପଟେ ଲୋକସଂପର୍କ, ପରିଚାଳନା ଓ ବ୍ୟବସାୟ ବୃଦ୍ଧି ପାଇଁ ଟିମ୍ ବିସ୍ତାର କରାଯାଉଥିବା କଥା କମ୍ପାନୀ ତରଫରୁ କୁହାଯାଇଛି ।

ଓୟୋ ତରଫରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି, କମ୍ପାନୀରେ ଥିବା ମୋଟ ୩୭୦୦ କର୍ମଚାରୀରୁ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଓ ପୁଣି ୨୫୦ ଜଣ କର୍ମଚାରୀ ନିଯୁକ୍ତି ଦେବ । କମ୍ପାନୀ ତରଫରୁ କୁହାଯାଇଛି କି ଠିକଭାବେ କାମ କରିବାକୁ ଉତ୍ପାଦ ଓ ଇଂଜିନିୟରିଂକୁ ମିଶାଇ ଗୋଟିଏ ଟିମ୍ କରାଯାଉଛି ଓ କମ୍ପାନୀ ହୋଟେଲ ସଂଖ୍ୟା ବୃଦ୍ଧି କରିବାକୁ ୨୦୫ ଜଣ ନୂଆ କର୍ମଚାରୀ ନିଯୁକ୍ତି ଦେବ ।