ଋଣ ନାଁରେ ମହାଦୁର୍ନୀତି ! ଗୃହ ନିର୍ମାଣ ପାଇଁ ଟଙ୍କା ନେଇ ଚଳୁ କରିଦେଲେ ହିତାଧିକାରୀ, ଖିଲାପିଙ୍କ ତାଲିକାର ଶୀର୍ଷରେ ଶିକ୍ଷକ

19

କନକ ବ୍ୟୁରୋ : ଋଣ ନାଁରେ ମହାଦୁର୍ନୀତି । ରାଜକୋଷରୁ ଲୁଟ୍ ହୋଇଯାଇଛି ୧୧ ଶହ କୋଟି । ଘର ନିର୍ମାଣ ପାଇଁ ୬ଟି ଯୋଜନାରେ ଋଣ ଦେଇଥିଲା ଓଡିଶା ଗ୍ରାମ୍ୟ ଗୃହ ଓ ଉନ୍ନୟନ ନିଗମ । ୧ ଲକ୍ଷ ୬୦ ହଜାର ହିତାଧିକାରୀ, ନିଗମଠାରୁ ନେଇଥିଲେ ୫ଶହ ୫୦ କୋଟି ଟଙ୍କାର ଋଣ । ଯାହାର ପରିମାଣ ବର୍ତ୍ତର୍ମାନ ପହଂଚିଛି ୧୧ଶହ କୋଟି । ହେଲେ ବର୍ଷ ପରେ ବର୍ଷ ବିତିଯାଉଥିଲେ ସୁଦ୍ଧା ଲୋନ୍ ପରିଶୋଧ କରିବାର ନାଁ ବି ଧରୁ ନାହାଁନ୍ତି ହିତାଧିକାରୀ । ଆଉ ଏହି ହିତାଧିକାରୀଙ୍କ ତାଲିକାରେ ସାମିଲ ଅଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା ସରକାରୀ ଚାକିରିଆ ।

ଗ୍ରାମାଚଂଳରେ ସୁବିଧାରେ ଘର ଖଣ୍ଡିଏ କରିବେ । ଏହି ଉଦ୍ଦେଶ୍ୟ ନେଇ ଓଡିଶା ଗ୍ରାମ୍ୟ ଗୃହ ଓ ଉନ୍ନୟନ ନିଗମ କାର୍ଯ୍ୟକରୁଛି । ଏହା ଅଧିନରେ ୬ଟି ଯୋଜନା ଚାଲୁଥିବା ବେଳେ ଏଥିରେ ଗ୍ରାମଚଂଳ ଗରିବମାନଙ୍କୁ ଅଧିକ ପ୍ରାଧାନ୍ୟ ଦେବାର ଲକ୍ଷ୍ୟ ରହିଛି । କିନ୍ତୁ ସରକାରୀ ଚାକିରିଆମାନେ ଲକ୍ଷ ଲକ୍ଷ ଟଙ୍କା ଲୋନ୍ ନେଇ ଏବେ ପରିଶୋଧ କରିବାର ନା ଧରୁ ନାହାଁନ୍ତି । ଆଉ ଏଭଳି ଏକ ସାଂଘାତିକ୍ ଘୋଟାଲା ହୋଇଛି ସରକାରଙ୍କ ତତ୍ୱାବଧାନରେ ଚାଲିଥିବା ଓଡିଶା ଗ୍ରାମ୍ୟ ଗୃହ ଓ ଉନ୍ନୟନ ନିଗମରେ । ଏହି ପୁରା କାରସାଦିରେ ସାମିଲ ଅଛନ୍ତି ଶିଳ୍ପପତି, ବିଲଡରଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରୁଥିବା ହଜାର ହଜାର ଚାକିରିଆ ।

ଏହି ଯୋଜନାରେ ଘର ତିଆରି ପାଇଁ ଦିଆଯାଇଥିଲା ଋଣ । ହଜାର ହଜାର ସରକାରୀ କର୍ମଚାରୀ ଋଣ ନେଲେ, ହେଲେ ଅଧିକାଂଶ ଋଣ ପରିଶୋଧ କରିବାକୁ ଚିନ୍ତା ବି କଲେନି । ଗଣଶିକ୍ଷା ବିଭାଗ ଅଧିନରେ କାମ କରୁଥିବା ୨୨ଶହ ଶିକ୍ଷକ ଓ କର୍ମଚାରୀ, ଋଣ ନେଇ ଧରାଛୁଆଁ ଦେଉ ନାହାଁନ୍ତି । କେବଳ ୧୨ଟି ଜିଲ୍ଲାର ଶିକ୍ଷକ ଓ କର୍ମଚାରୀ ଋଣ ନାଁରେ ଠକି ନେଇଛନ୍ତି ୪୦ କୋଟି । ଆଉ ଏନେଇ ୧୨ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି, ଶିକ୍ଷକ ମାନଙ୍କଠାରୁ ଋଣ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ ।

ଏତେ ଦିନ ପରେ ଭାଙ୍ଗିଛି ଗଣଶିକ୍ଷା ବିଭାଗର ନିଦ । କାହିଁକି ନା’ ମୁଣ୍ଡ ଉପରେ ଏବେ ଭିଜିଲାନ୍ସ ଖଣ୍ଡା । ଗୃହ ଋଣ ନାଁରେ ଟଙ୍କା ହେରଫେର ନେଇ ପଂଚାୟତିରାଜ ବିଭାଗରେ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ । ଆଉ କୁହାଯାଉଛି ଏହି ଭୟରେ ଏଭଳି ତତ୍ପରତା ଦେଖାଇଛି ଗଣଶିକ୍ଷା ବିଭାଗ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟକରୁଥିବା ୨୩ଟିରୁ ଅଧିକ ବିଭାଗ ଏବଂ ସଂସ୍ଥାର କର୍ମଚାରୀ ଏହିଭଳି ଋଣ ନେଇ ପରିଶୋଧ କରୁ ନାହାଁନ୍ତି । କେବଳ କର୍ପୋରେଟ୍ ହାଉସିଂ ଲୋନ୍ ସ୍କିମ୍ ନୁହେଁ, ଏହାସହ ୬ଟି ବିଭିନ୍ନ ସ୍କିମ୍ରେ ଘର ନିର୍ମାଣ ପାଇଁ ଋଣ ନେଇଥିଲେ, ଏକ ଲକ୍ଷ ୬୦ ହଜାର ହିତାଧିକାରୀ, ୫ଶହ ୫୦ କୋଟିର ଋଣ ନେଇଥିଲେ । ଯାହାର ପରିମାଣ ସୁଧ ସହ ବର୍ତ୍ତର୍ମାନ ପହଂଚିଛି ୧୧ଶହ କୋଟି । ଏବେ ପ୍ରଶ୍ନ ଉଠୁଛି- ଋଣ ନାଁରେ ଦିଆଯାଇଥିବା ଟଙ୍କାର ଭରଣା କରିପାରିବ ତ ନିଗମ ? ନା’କ୍ଷତି ଭରଣା କରିନପାରି ସରକାରଙ୍କ ଏହି ନିଗମରେ ତାଲା ଝୁଲିବ ?