ଯୁଦ୍ଧଭୂମିରୁ ଫେରିଲେ ଓଡ଼ିଆ । ଛାତି ଥରାଇଲା ହମାସ ଆତଙ୍କର କାହାଣୀ

324

କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ଜୀବନ ବଂଚାଇ ସ୍ୱଦେଶ ଫେରିଛନ୍ତି ୨୧୨ ଭାରତୀୟ । ଅପରେସନ ଅଜୟ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏମାନେ ସବୁ ଶୁକ୍ରବାର ସକାଳୁ ସକାଳୁ ପଂହଚିଛନ୍ତି । ଆଉ ଏମାନଙ୍କ ମଧ୍ୟରେ ରହିଛନ୍ତି ୯ ଓଡିଆ । ବିମଳେନ୍ଦୁ ମହାପାତ୍ର, ଭୂପେଶ ମେହେର, ନୀଳକଣ୍ଠ ମେହେର, ସୁବ୍ରତ ମେହେର, ଆୟୁଷ ମେହେର, ବରୁଣ ବାରିକ, ଜିତେନ କୁମାର ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଆସିଛନ୍ତି । ଆଉ ଦିଲ୍ଲୀରୁ ବିମାନ ଜରିଆରେ କିଛି ଭୁବନେଶ୍ୱର ଫେରିଛନ୍ତି । ଏମାନଙ୍କ ମଧ୍ୟରେ କିଏ ଚାକିରି ପାଇଁ ଯାଇଥିଲେ ତ ଆଉ କିଏ ପିଏଚଡି କରିବାକୁ ଯାଇଥିଲେ । ସୋନପୁରର ଭୂପେଶ ମେହେର କନକ ନ୍ୟୁଜ ସହ ନିଜର ଅନୁଭୂତି ବଖାଣିବା ବେଳେ ଅନେକ କିଛି ଅକୁହା କଥା କହିଛନ୍ତି । ଯାହା ସମସ୍ତଙ୍କ ନିଦ ହଜାଇ ଦେବ ।

ପ୍ରାୟ ୧୮ ହଜାର ଭାରତୀୟ ଇସ୍ରାଏଲରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇଟି ଚାକିରି ଏବଂ ଛାତ୍ର ଅଟନ୍ତି । ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ମୋଦୀ ସରକାର ‘ଅପରେସନ୍ ଅଜୟ୍’ ଆରମ୍ଭ କରିଛନ୍ତି । ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର ପାଇଁ ଭାରତୀୟ ଦୂତାବାସ ତଥ୍ୟ ପ୍ରସ୍ତୁତ କରୁଛି । ଭାରତୀୟ ଯାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଖର୍ଚ୍ଚ ବହନ କରୁଛନ୍ତି । ଇସ୍ରାଏଲରୁ ପ୍ରଥମ ବିମାନ ନୂଆଦିଲ୍ଲୀରେ ପହଂଚିବା ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱଦେଶ ଫେରନ୍ତାଙ୍କୁ ସ୍ୱାଗତ କରିଥିଲେ । ଯୁଦ୍ଧପରଠୁ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ ପରେ ଏୟାର ଇଣ୍ଡିଆ ସେଠାକୁ ଯାଉଥିବା ସମସ୍ତ ବିମାନକୁ ବାତିଲ କରିଦେଇଛି । ଏଭଳି ପରିସ୍ଥିତିରେ ଇସ୍ରାଏଲରେ ଫସି ରହିଥିବା ଲୋକମାନଙ୍କର ଭାରତ ଫେରିବାର କୌଣସି ମାଧ୍ୟମ ନଥିଲା । କିନ୍ତୁ ଏବେ ଅପରେସନ୍ ଅଜୟ ଅଧୀନରେ ଭାରତୀୟମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ଏକ ଅଭିଯାନ ଆରମ୍ଭ କରିଛି । ଆଉ ଏବେ ଇସ୍ରାଏଲ ରାଜଧାନୀରେ ଥିବା ଦୂତାବାସ ଆଗରେ ଭାରତ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲମ୍ବା ଧାଡି ରହିଛି ।

ଯୁଦ୍ଧର ଷଷ୍ଠ ଦିନରେ ଇସ୍ରାଏଲ୍ ସେନା କହିଛି ଯେ ୨୨୨ ଇସ୍ରାଏଲ୍ ସୈନିକଙ୍କ ସମେତ ୧୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ୧୯୭୩ ମସିହାରେ ଇଜିପ୍ଟ ଏବଂ ସିରିଆ ସହିତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ପରଠାରୁ ଏତେ ସଂଖ୍ୟକ ମୃତ୍ୟୁ ଦେଖିବାକୁ ମିଳି ନଥିଲା । ସେଠାରେ ଥିବା ଅଧିକାରୀଙ୍କ କହିବାନୁସାରେ, ହମାସ୍ ଶାସିତ ଗାଜା ଅଂଚଳରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୧,୪୧୭ ଜଣ ପ୍ରାଣ ହରାଇଛନ୍ତି ।