ବିଶ୍ୱ ମହିଳା ଦିବସ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଛେଳି ବିକି ଶୌଚାଳୟ କରିଥିବା କୁଅଁର ବାଇଙ୍କୁ ମନେ ପକାଇଲେ ମୋଦି

121

କନକ ବ୍ୟୁରୋ: ଅନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାଜସ୍ଥାନରେ ସେ ଏକ ରାଲିକୁ ସମ୍ବୋଧିତ କରିବେ । ମହିଳା ଦିବସରେ ପ୍ରଧାନମନ୍ତ୍ରୀ କୁଅଁର ବାଈଙ୍କୁ ମନେପକାଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ କୁଅଁର ବାଈଙ୍କ ଅବଦାନକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଂଶସା କରିଛନ୍ତି । ଛତିଶଗଡ ସ୍ୱଚ୍ଛତା ଦୂତ ଥିବା କୁଅଁର ବାଈ ଛେଳି ବିକି ଶୌଚାଳୟ ନିର୍ମାଣ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ସାକ୍ଷାତ କରି ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ୧୦୬ ବର୍ଷରେ କୁଅଁରବାଈଙ୍କ ଗତମାସରେ ପରଲୋକ ହୋଇଯାଇଛି ।

ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି- ମହିଳା ସଶକ୍ତିକରଣ ହେଉଛି ଲୋକଙ୍କ ସଶକ୍ତିକରଣ । ଆମର ସବୁ ପଦକ୍ଷେପର ମହିଳା ହେଉଛନ୍ତି ଆଧାରଶିଳା ।

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱର ମହିଳାଙ୍କୁ ସମ୍ମାନ ଓ ଶ୍ରଦ୍ଧା ଦେବା, ସେମାନଙ୍କର ରାଜନୈତିକ, ସାମାଜିକ ଓ ଆର୍ଥିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା, ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ବାଇଗଣୀ ରିବନ ଏହି ଦିନର ପ୍ରତୀକ । ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ପୁରୁଷର ସମକକ୍ଷ ହେବା ସହ ବହୁ କ୍ଷେତ୍ରରେ ଆଗୁଆ ହୋଇଛନ୍ତି । ଜାତିସଂଘର ଅନୁମୋଦନ କ୍ରମେ ୧୯୯୬ ମସିହାରୁ ମହିଳା ଦିବସକୁ ବିଷୟ ଭିତିକ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ବିଷୟ ରଖା ଯାଇଛି, ପ୍ରଗତି ପାଇଁ ଜୋର ଲଗାଅ । ଆଫଗାନିସ୍ତାନ, ଆଙ୍ଗୋଲା, ଆର୍ମେନିଆ, କ୍ୟୁବା ଜର୍ଜିଆ ମଙ୍ଗୋଲିଆ ଆଦି ୨୪ଟି ଦେଶରେ ଆଜି ସରକାରୀ ଛୁଟି ଦିବସ । ସେହିପରି ଚୀନ ନେପାଲ ମାଡାଗାସ୍କର ଓ ମେସିଡୋନିଆରେ କେବଳ ମହିଳାଙ୍କ ପାଇଁ ସରକାରୀ ଛୁଟି ଦିବସ ।