ଓଡିଶାରେ ଗୃହମନ୍ତ୍ରୀ ଅମିତ ଶାହା । ଗତକାଲି ବିଳମ୍ବିତ ରାତିରେ ଶାହଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି

183

କନକ ବ୍ୟୁରୋ : ଓଡିଶା ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଶାହା । ପରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଶାହାଙ୍କୁ ସ୍ୱାଗତ କରିବା ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଜେପି କର୍ମୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଢୋଲ, ନାଗରା, ନିଶାଣ ବାଜାରେ କମ୍ପିଛି ଏୟାରପୋର୍ଟ ପରିସର । ବାଦ୍ୟର ତାଳେ ତାଳେ ନୃତ୍ୟ କରି ଶାହାଙ୍କୁ ସ୍ୱାଗତ କରିଛନ୍ତି ଦଳର କର୍ମୀ ଓ ନେତା ।

ତେବେ ଶାହ ବିମାନବନ୍ଦରରୁ ଯାଇ ମେ ଫେୟାର ହୋଟେଲରେ ରାତ୍ରୀଯାପନ କରିଛନ୍ତି । ଆଜି ସକାଳ ୮ ଟାରେ ସେ ଲିଙ୍ଗରାଜ ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପରେ କଟକରେ ନେହେରୁ ଇନଡୋର ଷ୍ଟାଡିୟମ ଯିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଓଡ଼ିଆ ବଜାରରେ ଥିବା ନେତାଜୀ ସୁବାଶ ଚନ୍ଦ୍ର ବୋସଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ ଦେବାର କାର୍ଯ୍ୟକ୍ରମ ରହିଛି । ଏୟାରପୋର୍ଟ ପରିସରରେ ଶାହାଙ୍କ ସ୍ୱାଗତ ପାଇଁ କଟକ ଏବଂ ଭୁବନେଶ୍ୱରରେ ବଡ ବଡ ପୋଷ୍ଟର ଲଗାଯାଇଛି । ସେପଟେ କମିସନରେଟ ପୁଲିସ ପକ୍ଷରୁ ଶାହାଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଡଗ ସ୍କ୍ୱାର୍ଡ, ଜାମର ଏୟାରପୋର୍ଟରେ ନିୟୋଜିତ ହୋଇଛି । ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବରରେ ଉତ୍ସାହ ଖେଳି ଯାଇଛି । ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ଚାଣକ୍ୟ । କାଲି କଟକରେ ଗୋଟିଏ ମଂଚରେ ବସିବେ ଅମିତ ଶାହା ଓ ନବୀନ ପଟ୍ଟନାୟକ । ପରେ ରୁଦ୍ଧଦ୍ୱାର ବୈଠକରେ ଦଳୀୟ ପଦାଧକାରୀଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହ । କୁହାଯାଉଛି, ୨୦୨୪ ପାଇଁ ଓଡିଶା ବିଜେପିକୁ ରାହା ଦେଖାଇବେ ଶାହା ।