ପୋଲସରା ମଥୁରା ଅଞ୍ଚଳର କଂସା ପିତଳ କାରିଗର। ବଞ୍ଚାଇ ରଖିଛନ୍ତି ନିଜ କୂଳ ବେଉସା।

117

କନକ ବ୍ୟୁରୋ: ମଣିଷ ଯେତେ ଆଧୁନିକ ହେଲେ ବି ପୁରୁଣା ଜିନିଷର ଆଦର ସବୁବେଳେ ରହିଛି । ପୁରୁଣା ଜିନିଷ ଭିତରେ କଂସା ଓ ପିତଳରେ ନିର୍ମିତ ସାମଗ୍ରୀର ଚାହିଦା ସବୁବେଳେ ରହିଛି । ଆଗରୁ ଲୋକମାନେ ଖାଇବା ପିଇବା ପାଇଁ କଂସା ଓ ପିତଳରେ ନିର୍ମିତ ବାସନକୁସନର ବହୁଳ ବ୍ୟବହାର କରୁଥିଲେ । ଏବେ ଏହାର ବ୍ୟବହାର କମିଥିଲେ ମଧ୍ୟ ଚାହିଦା କମିନି । ଝିଅ ବାହାଘର ଠାରୁ ଆରମ୍ଭ କରି ଦେବାଦେବୀଙ୍କ ପୂଜାର୍ଚ୍ଚନା ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ପଡେ ପିତଳ ଓ କଂସାରେ ନିର୍ମିତ ସାମଗ୍ରୀ । କାହିଁ କେଉଁ କାଳରୁ ଏହି ବୃତିକୁ ଆପଣାଇଛନ୍ତି ଗଂଜାମ ପୋଲସରା ବ୍ଲକ ମଥୁରାର କଂସା ପିତଳ କାରିଗର । ଗାଁର ପ୍ରାୟ ୪୦ଟି ପରିବାର ଏହି ବ୍ୟବସାୟକୁ ବଞ୍ଚାଇ ରଖିଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ କିଛି ପ୍ରୋତ୍ସାହନ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କଂସା, ପିତଳ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର ।

କଞ୍ଚାମାଲ, ଅଙ୍ଗାର, ଧାତୁ ନିକଟସ୍ଥ ବଜାରରେ ମିଳୁନଥିବାରୁ ଚାନ୍ଦପୁର, ବାଲୁଗାଁ, ବ୍ରହ୍ମପୁରରୁ ଆଣିବାକୁ ପଡ଼ୁଛି । କାରିଗର ମାନେ ଦିନକୁ ୨୫୦ ଟଙ୍କାରେ କାମ କରୁଥିବା ବେଳେ ଗୋଟିଏ ଦିନରେ ୮ଟି ପିତଳ ଗରା ଗଢିଥାଆନ୍ତି । ଯାହାର ବଜାରର ମୂଲ୍ୟ ୨୭୦୦ ଟଙ୍କା । ସବୁ ଖର୍ଚ୍ଚ ଯାଇ ଦିନକୁ ୫୦୦ରୁ ୭୦୦ ଟଙ୍କା ଲାଭ ମିଳିଥାଏ । ରାତି ୩ଟାରୁ ଭାଟି ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥାଏ । ଗୋଟିଏ ସ୍ଥାନରେ ୬ରୁ ୭ ଜଣ କାରିଗର ଏହି କାମ କରନ୍ତି । ଭାଟିରେ ସାମଗ୍ରୀ ଗୁଡ଼ିକର ତଳ ଓ ଉପର ପାଶ୍ୱର୍ କାମ ସରିବା ପରେ ଏହାକୁ ଝଳେଇ କରାଯାଏ । ଏହା ପରେ ଘରର ମହିଳା ମାନେ ଜିନିଷକୁ ମଜାମଜି କରି ପଲିସ କରନ୍ତି । ଏହା ପରେ ଜିନିଷ ଗୁଡ଼ିକ ବିକ୍ରି ଉପଯୋଗୀ ହୋଇଥାଏ ।

କଂସା ଓ ପିତଳରେ ଗରା, ଗ୍ଲାସ, ଥାଳି, ଢାଳ, କଂସା, ବାଲଟି, ଗିନା ସହିତ ବିଭିନ୍ନ ଘରକରଣା ଜିନିଷ ତିଆରି କରନ୍ତି କାରିଗର । ମନ୍ଦିର ଓ ଠାକୁରଙ୍କ ପାଇଁ ସାପ, କିରିଟି, ତୁରି, ହାତ, ଗୋଡ, ଘଣ୍ଟି ସହିତ ପୂଜା ପାଇଁ ସମସ୍ତ ସାମଗ୍ରୀ ତିଆରି କରନ୍ତି ଏହି କାରିଗର । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ଅନ୍ୟ ସ୍ଥାନକୁ ମଧ୍ୟ ବିକ୍ରି ପାଇଁ ପଠାଇଥାଆନ୍ତି । ପରିବର୍ତନଶୀଳ ଦୁନିଆରେ ସମୟ ବଦଳିଛି କିନ୍ତୁ କରିଗର ମାନେ କଳାକୃତିକୁ ବଞ୍ଚାଇ ରଖିଛନ୍ତି । ହେଲେ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କାରିଗର ।