ଆଜିଠୁ ଆରମ୍ଭ ହେବ ପଛୁଆବର୍ଗ ସର୍ଭେ : ବିହାର ପରେ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶାରେ ହେବ ସର୍ଭେ

187

କନକ ବ୍ୟୁରୋ : ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଓବିସି ତଥା ପଛୁଆବର୍ଗ ସର୍ଭେ । ବିହାର ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଭାବେ ଓବିସି ସର୍ଭେ କରିବ । ଓଡିଶା ସରକାରଙ୍କ ଦ୍ୱାରା ଅଧିସୂଚୀତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କୁ ନେଇ ସର୍ଭେ କରାଯିବ । ପଛୁଆବର୍ଗଙ୍କୁ ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ସୁବିଧା ସୁଯୋଗ ଦେବା ଲକ୍ଷ୍ୟ ରଖି ମେ ୧ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ପଛୁଆବର୍ଗ ସର୍ଭେ କରାଯିବ ।

ରାଜ୍ୟର ମୋଟ ୩୧୪ ବ୍ଲକ ଏବଂ ୧୧୪ ଟି ନଗର ନିଗମରେ ସର୍ଭେ କରାଯିବ । ପରିବାରର ମୁଖିଆ ଅବା ବରିଷ୍ଠ ଲୋକଙ୍କ ଠାରୁ ତଥ୍ୟ ଗ୍ରହଣ କରାଯିବ । ସର୍ଭେ କେନ୍ଦ୍ରରେ ଆଧାର କାର୍ଡ, ଭୋଟର କାର୍ଡ, ପାନ କାର୍ଡ, ପାସପୋର୍ଟକୁ ପ୍ରମାଣପତ୍ର ଭାବେ ଦେଖାଇପାରିବେ । ଯେଉଁ ପଛୁଆ ବର୍ଗଙ୍କ ରାସନ କାର୍ଡ ନାହିଁ ସେମାନଙ୍କର ତଥ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ । ଗାଁ ଓ ସହରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ , ଅନ୍ୟ ସରକାରୀ ଅଧିକାରୀମାନେ ସର୍ଭେରେ ନିୟୋଜିତ ହେବେ ।

କିଛି ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କୁ ଏନୁମେଟର ଓ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓବିସି ସର୍ଭେକୁ ନେଇ ରାଜନୈିିତକ ଉଦେଶ୍ୟ ଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ବିଜେଡି ଓବିସି ଭୋଟ ହାତେଇବା ପାଇଁ ଏଭଳି ସର୍ଭେ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଓଡ଼ିଶାରେ ପ୍ରାୟ ୫୪ ପ୍ରତିଶତ ଓବିସି ଭୋଟ ରହିଥିବାରୁ ଏହି ଭୋଟ ବ୍ୟାଙ୍କ ଉପରେ ସବୁ ରାଜନୈତିକ ଦଳଙ୍କର ନଜର ରହିଛି ।