କୁକୁଡ଼ା ଖାଇଦେଲା ବୋଲି କୁକୁରକୁ ଗୁଳି : ଜଣେ ମୃତ, ଜଣେ ଆହତ; ଅଭିଯୁକ୍ତଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଅଭିଯୋଗ

110

କନକ ବ୍ୟୁରୋ : କୁକୁରକୁ ଗୁଳିମାଡ଼ । ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ କୁକୁର ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଜାଗମରା ଅଂଚଳରେ । କିତାବ ପଟ୍ଟନାୟକ ଓରଫ ବାବୁନା ନାମକ ଜଣେ ବ୍ୟକ୍ତି କୁକୁର ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି ।

ଏ ନେଇ ସେବା ଓ ସଂକଳ୍ପ ଅନୁଷ୍ଠାନକୁ ପ୍ରତ୍ୟକ୍ଷଦର୍ଶୀ ଜଣାଇବା ପରେ ଅନୁଷ୍ଠାନର ସଦସ୍ୟ ରାଜେଶ ପୃଷ୍ଟି ଘଟଣା ସ୍ଥଳରେ ପହଁଚି ଆହତ କୁକୁରକୁ ପ୍ରାଥମିକ ଚିକିତ୍ସା କରିଛନ୍ତି । ଏବଂ ଖଣ୍ଡଗିରି ଥାନାରେ ଅଭିଯୁକ୍ତ ବିରୋଧରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆସନ୍ତାକାଲି ପ୍ରାଣୀ ଚିକିତ୍ସାଳୟରେ ମୃତ କୁକୁରର ପୋଷ୍ଟମର୍ଟମ କରାଯିବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ବୁଧବାର ଅପରାହ୍‌ଣରେ ଜାଗମରା ଅଞ୍ଚଳର କିତାବ ପଟ୍ଟନାୟକ ଓରଫ ବାବୁନାଙ୍କ ଦେଶୀ କୁକୁଡ଼ାକୁ ୨ଟି କୁକୁର ଝାମ୍ପୁଥିଲେ । ଏହା ଦେଖି ବାବୁନା ଘରୁ ଏକ ଏୟାରଗନ୍ ଆଣି କୁକୁର ୨ଟିକୁ ଗୁଳି କରିଥିଲେ । ଗୋଟିଏ କୁକୁରର ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା। ଅନ୍ୟଟି ସେଠାରୁ ଦୌଡ଼ି ପଳାଇବା ସମୟରେ ତାକୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲା । ମାତ୍ର ପିଠି ପଟରେ ବାଜିବାରୁ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲା ।

ପରେ ସ୍ଥାନୀୟ ଲୋକ ଏନେଇ ଘଟଣା ସଂପର୍କରେ ସେବା ହିଁ ସଂକଳ୍ପ ସ୍ବେଚ୍ଛାସେବୀ ସଂସ୍ଥାକୁ ଜଣାଇବା ପରେ ରାଜେଶ ଓ ରଶ୍ମିରଂଜନ ଘଟଣାସ୍ଥଳରେ ପହଞ୍ଚି କୁକୁର ୨ଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ମୃତ କୁକୁରକୁ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନାରେ ଅଭିଯୋଗ ହେବା ପରେ ବାବୁନା ଘର ଛାଡ଼ି ଫେରାର୍ ହୋଇଥିବା ଜଣାପଡ଼ିଛି ।