ପଞ୍ଚାୟତ ନିର୍ବାଚନ : ରାଜ୍ୟରେ ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ଲାଗିଲା ରୋକ୍; ୭୨ ଘଣ୍ଟା ପାଇଁ ମଦ ବିକ୍ରି ବନ୍ଦ

ଭୋଟ ଦେବା ପାଇଁ ଯିବାକୁ କର୍ମଚାରୀଙ୍କୁ ମିଳିବ ଛୁଟି

1,453

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପଦକ୍ଷେପ । ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ଫେବ୍ରୁଆରି ୧୪ତାରିଖ ଅପରାହ୍ନ ୫ଟାରୁ ମାର୍ଚ୍ଚ ୧ତାରିଖ ଅପରାହ୍ନ ୫ଟା ନିର୍ବାଚନ ଅଧିକାରୀ, ପୁଲିଂ ଅଧିକାରୀ, ପୁଲିସ ଅଧିକାରୀ ଏବଂ ଶାନ୍ତିଶୃଙ୍ଖଳା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର କିମ୍ବା ଏହା ଆଖପାଖ ଅଞ୍ଚଳରେ ରହିପାରିବେ ନାହିଁ ।

ସେହିପରି ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହ ହେବ ସେଥିପାଇଁ ମତଦାନର ୪୮ଘଣ୍ଟା ପୂର୍ବରୁ ଏବଂ ମତଦାନ ପରଦିନ ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ନିର୍ବାଚନ ହେବାକୁ ଥିବ ସେଠାରେ ମଦ ବିକ୍ରି ଓ ବଣ୍ଟନ ଉପରେ ନିଷେଧାଦେଶ ଜାରି ହୋଇଛି । କଟକଣା କଡ଼ାକଡ଼ି ପାଳନ ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ଅନ୍ୟ ସ୍ଥାନକୁ ମାଦକ ଦ୍ରବ୍ୟର ପରିବହନ, ହୋଟେଲ କିମ୍ବା ରେସ୍ତୋରାଁ, ଦୋକାନରେ ବା ଅନ୍ୟ କୌଣସି ସ୍ଥାନରେ ମଦର ବ୍ୟବହାର କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିସନର କଟକଣା ଲଗାଇଛନ୍ତି । ଅପରପକ୍ଷେ ପଞ୍ଚାୟତ ନିର୍ବାଚନରେ ମତଦାନ ନିମନ୍ତେ ସମସ୍ତ ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସରକାରୀ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନର କର୍ମଚାରୀମାନଙ୍କୁ ମତଦାନ ଦିନଟିକୁ ସବୈତନିକ ଛୁଟି ଘୋଷଣା କରିବାକୁ ସରକାରଙ୍କୁ କୁହାଯାଇଛି । ଯେଉଁ କର୍ମଚାରୀମାନଙ୍କର ମତଦାନ କେନ୍ଦ୍ରଠାରୁ କର୍ମସ୍ଥଳ ଦୂର ହୋଇଥିବ ସେମାନେ ତିନିଦିନ ସ୍ବତନ୍ତ୍ର ସିଏଲ୍‌ ପାଇବେ ବୋଲି ନିର୍ବାଚନ କମିସନ କହିଛନ୍ତି ।

ସେହିପରି ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ କିମ୍ବା ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କୁ ମତଦାନରେ ସୁଯୋଗ ଦେବା ପାଇଁ ରାଜ୍ୟ ନିର୍ବାଚନ କମିସନ ମତଦାନ ଦିବସକୁ ସବୈତନିକ ଛୁଟି ଦିବସ ଭାବେ ଘୋ‌ଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ହେଉଥିବା ଅଞ୍ଚଳରେ ସମସ୍ତ କର୍ମଚାରୀମାନଙ୍କୁ ମତଦାନର ସୁଯୋଗ ଦେବା ନିମନ୍ତେ ରାଜ୍ୟ ନିର୍ବାଚନ କମିସନ ଭୋଟ୍‌ ଗ୍ରହଣ ଦିନକୁ ସଂପୃକ୍ତ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସଂପୃକ୍ତ ଅଞ୍ଚଳରେ ଜୁଡ଼ିସିଆଲ କୋର୍ଟ ଥାଏ ତେବେ ଭୋଟ୍ ଗ୍ରହଣ ଦିନ କୋର୍ଟ ମଧ୍ୟ ବନ୍ଦ ରହିବ ବୋଲି କମିସନ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।