ଅଜଣା ଗାଡି ଧକ୍କାରେ ମୃତାହତ ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବେ ରାଜ୍ୟ ସରକାର ! କୋଟିଏ ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ ଲାଗି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ଅଜଣା ଗାଡି ଧକ୍କାରେ ମୃତାହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ରାଜ୍ୟ ସରକାର କୋଟିଏ ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବା ସହିତ ଏଭଳି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କାର ଅର୍ଥ ସହାୟତା ଦେବାକୁ ରାଜି ହୋଇଛନ୍ତି । ବର୍ତ୍ତମାନ ମୋଟରଯାନ ଚଳାଚଳ ଆଇନ୍ ଅନୁଯାୟୀ ଅଜଣା ଗାଡି ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ହଜାର ଟଙ୍କାର କ୍ଷତିପୂରଣ ମିଳୁଛି । ସେହିଭଳି ଅନୁରୂପ ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ ଗୁରୁତର ଆହତମାନଙ୍କୁ ୫୦ ହଜାର ଟଙ୍କା ମିଳିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଜଣା ଗାଡି ଦୁର୍ଘଟଣାରେ ମୃତାହତମାନଙ୍କୁ ମିଳୁଥିବା ସହାୟତା ରାଶି ପର୍ଯ୍ୟାପ୍ତ ହେଉନଥିବାରୁ ତାହାକୁ ବୃଦ୍ଧି କରିବାପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପୂର୍ବରୁ ସଡକ ସୁରକ୍ଷାପାଇଁ ସୁପ୍ରିମ୍ କୋର୍ଟ ଗୋଟିଏ କମିଟି ନିଯୁକ୍ତ କରିଥିଲେ । ରାଜ୍ୟରେ ସଡକ ଦୁର୍ଘଟଣାରେ ମୃତାହତ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ଲାଗି ପାଣ୍ଠି ଗଠନ ଉପରେ ବିଚାର କରିବାକୁ କମିଟି ରାଜ୍ୟ ସରକାରଙ୍କୁ କହିଥିଲେ । ଅଧିକାରୀମାନେ ଏହି ସହାୟତା ରାଶି ରାଜ୍ୟ ସଡକ ସୁରକ୍ଷା ପାଣ୍ଠିରୁ ଦେବାପାଇଁ କହିଥିବାବେଳେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କିନ୍ତୁ ଏଥିପାଇଁ ଅଲଗା ପାଣ୍ଠି ଗଠନ ସପକ୍ଷରେ ଥିଲେ । କାରଣ ରାଜ୍ୟ ସଡକ ସୁରକ୍ଷା ପାଣ୍ଠି ଅନ୍ୟ କାର୍ଯ୍ୟ ବିଶେଷକରି ଦୁର୍ଘଟଣା ହ୍ରାସ ଏବଂ ଜନସଚେତନତା ପାଇଁ ଗଠନ କରାଯାଇଛି ।
ପ୍ରଥମେ ଏକ କୋଟି ଟଙ୍କାର ଏହି ସ୍ୱତନ୍ତ୍ର ପାଣ୍ଠି ଗଠନ ହେବା ସହିତ କ୍ଷତିପୂରଣ ପ୍ରଦାନ ହେଲେ ପରବର୍ତ୍ତୀ ସମୟରେ ଏହି ପାଣ୍ଠିକୁ ଅଧିକ ଅର୍ଥ ଦିଆଯିବ । ରାଜ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି । ଉଦାହରଣ ସ୍ୱରୂପ ୨୦୧୫ରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୪୩୦୩ ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୧୬ରେ ତାହା ୪୪୬୩କୁ ବୃଦ୍ଧିପାଇଛି । ଦୁର୍ଘଟଣା ହ୍ରାସପାଇଁ ଜିଲ୍ଲାପାଳମାନଙ୍କୁ ଏନଫୋର୍ସମେଣ୍ଟ ଗଠନ ପାଇଁ ରାଜ୍ୟ ସରକାର କହିଛନ୍ତି । ଏଥିଯୋଗୁଁ ୨୦୧୭ ମସିହାରେ ସଡକ ଦୁର୍ଘଟଣା ୨ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ଏହାକୁ ୧୦ ପ୍ରତିଶତ ପାଇଁ ମୁଖ୍ୟ ଶାସନ ସଚିବ କହିଛନ୍ତି ।
ମୁଖ୍ୟ ଶାସନ ସଚିବ ଏ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହିତ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ ପାଇଁ କହିଛନ୍ତି । ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଶ୍ରୀନିବାସ ମଧ୍ୟ ଦୁର୍ଘଟଣା ହ୍ରାସପାଇଁ ଖସଡା ପ୍ରସ୍ତୁତ ଲାଗି ଜିଲ୍ଲା ପ୍ରଶାସନଗୁଡିକୁ କହିଛନ୍ତି । ଅନେକ ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ମନ୍ଥରତା ପ୍ରଦର୍ଶନ କରୁଥିବାବେଳେ ଏହାକୁ ଗୁରୁତ୍ୱର ସହ ନେଇ ଯୋଜନା ପ୍ରସ୍ତୁତ ସହିତ ଦୁର୍ଘଟଣା ହ୍ରାସପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।