ସ୍କୁଲ ଶିକ୍ଷା ବ୍ୟବସ୍ଥାର ଅବକ୍ଷୟ ସ୍ଥିତିକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ବିଜେଡିର ଜବାବ, ରାଜ୍ୟରେ ଖସିନାହିଁ ଶିକ୍ଷାର ମାନ

ପରଫର୍ମାନ୍ସ ଗ୍ରେଡ୍ ଇନଡେକ୍ସରେ ତଳକୁ ଖସିଲା ଓଡ଼ିଶା

171

କନକ ବ୍ୟୁରୋ: ରାଜ୍ୟରେ ସ୍କୁଲ ଶିକ୍ଷାର ମାନ କମିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ରହିଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଗୋଟିଏ ବର୍ଷରେ ଓଡ଼ିଶାର ପିଜିଆଇ ୧୪ଟି ସ୍ଥାନ ତଳକୁ ଖସିଯିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

  • ୨୦୨୦-୨୧ ବର୍ଷରେ ୧୦ମ ସ୍ଥାନ
  • ୨୦୨୧-୨୨ ବର୍ଷରେ ୨୪ ନମ୍ବର ସ୍ଥାନ

ଏ ହେଉଛି ୨ଟି ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପ୍ରଦର୍ଶନ ସୂଚକାଙ୍କ ତଥା ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ସ୍ଥାନ । ଅର୍ଥାତ ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ରହିଥିବା ବେଳେ ୨୦୨୧-୨୨ରେ ୧୪ଟି ସ୍ଥାନ ତଳକୁୁ ଖସି ଆସି ୨୪ତମ ସ୍ଥାନରେ ରହିଛି ।

  • କାହିଁକି ତଳକୁ ଖସିଲା ଓଡିଶା?
  • ତେଜିଲା ରାଜନୈତିକ ବୟାନବାଜି

ରାଜ୍ୟରେ ସ୍କୁଲ ଶିକ୍ଷାର ଅବକ୍ଷୟ ସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ପ୍ରଦର୍ଶନ ଖରାପ ପାଇଁ ବିରୋଧୀ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ଖଣ୍ଡନ କରିଛି ଶାସକ ଦଳ । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ରାଜ୍ୟରେ ଶିକ୍ଷାର ମାନ କମିନାହିଁ । ସ୍କୁଲ ଶିକ୍ଷା ଲାଗି କେନ୍ଦ୍ର ସରକାର ଏବଂ ତାଙ୍କର ଅନୁଶୀଳନ ସଂସ୍ଥା ପ୍ରଶଂସା କରିଛନ୍ତି । ଫାଇଭ-ଟି ଅଧୀନରେ ରାଜ୍ୟରେ ସ୍କୁଲରେ ଡିଜିଟାଲ ପ୍ରୟୋଗ ଏବଂ ଭିତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ପିଜିଆଇ ରିପୋର୍ଟ ସରକାରଙ୍କ ଆଇନା । ୨୩ବର୍ଷର ବିଫଳତାକୁ ଲୁଚାଇବା ପାଇଁ ନୂଆ ନୂଆ ମିଛ କଥା କୁହାଯାଉଛି । ପିଜିଆଇ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ଅଭିଭାବକ ମହାସଂଘ ମଧ୍ୟ ସ୍କୁଲ ଶିକ୍ଷାର ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଉଚିତ୍ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ ବୋଲି ସତର୍କ କରିଛନ୍ତି ବୁଦ୍ଧିଜୀବୀ ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨.୦ରେ ପ୍ରକାଶ ପାଇଛି । ପରଫର୍ମାନ୍ସ ସର୍ଭେ ବେଳେ ଶିକ୍ଷଣ ଫଳାଫଳ ଓ ଗୁଣବତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତିଭୂମି ଓ ଅନ୍ୟାନ୍ୟ ସୁବିଧା, ସମାନତା, ପରିଚାଳନା ପ୍ରକ୍ରିୟା ଓ ଶିକ୍ଷକ ଶିକ୍ଷା ଓ ତାଲିମ ବିଷୟକୁ ସାମିଲ କରାଯାଇଛି । ଆଉ ସର୍ଭେରେ ଓଡ଼ିଶା ବହୁ ପଛରେ ପଡ଼ିଛି । ୭୩ଟି ସୂଚକାଙ୍କ ଆଧାରରେ ୧୦୦୦ ପଏଣ୍ଟକୁ ନେଇ ୬ଟି ବର୍ଗରେ ମୂଲ୍ୟାୟନ ହୋଇଥିଲା । ସେଥିରୁ ଓଡ଼ିଶା ମାତ୍ର ୫୧୭.୧ ସ୍କୋର ହାସଲ କରି ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୨୪ତମ ସ୍ଥାନରେ ରହିଛି । ତେବେ ଗୋଟିଏ ବର୍ଷ ମଧ୍ୟରେ କ’ଣ ଏମିତି ହେଲା ଯେ ଓଡ଼ିଶା ତଳକୁ ଖସିଗଲା ତାହା ଚିନ୍ତାଜନକ ।