ପୁଣି ଥରେ ପଦାରେ ପଡିଲା କଂଗ୍ରେସ କନ୍ଦଳ: ପାର୍ଟି କଥା ମାନିଲେନି ମାଟି ପାଇଁ ଭୋଟ ଦେଲେ ମହମ୍ମଦ ମୋକିମ

138

କନକ ବ୍ୟୁରୋ: ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ବିଧାୟକମାନେ ଭୋଟ୍ ଦେଉଥିବାର ଦୃଶ୍ୟ । ଦିନ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଜଣେ ପରେ ଜଣେ ବିଧାୟକ ଆସି ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଭୋଟ୍ ଦେଇଛନ୍ତି । ହେଲେ ଭୋଟ୍ ଦେଇସାରିବା ପରେ ବାହାରକୁ ଆସି ଗଣମାଧ୍ୟମକୁ ଯାହା କହିଛନ୍ତି, ତାହା କଂଗ୍ରେସରେ କମ୍ପନ ସୃଷ୍ଟି କରିଛି । କାରଣ ଦଳର ନିର୍ଦ୍ଦେଶକୁ ନମାନି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା କହିଛନ୍ତି କଂଗ୍ରେସ ବିଧାୟକ । ଓଡିଶାର ଝିଅ ହୋଇଥିବାରୁ ବିବେକ ଅନୁସାରେ ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ଖୋଲାଖୋଲି ଘୋଷଣା କରିଛନ୍ତି । ଏପରିକି ଦଳ ତାଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ନେବ, ତାକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଥିବା ଚ୍ୟାଲେଞ୍ଜ ମାରିଛନ୍ତି ।

ଦୁଇଟି ପରସ୍ପର ବିରୋଧୀ ଦଳ କଂଗ୍ରେସ ଓ ବିଜେପି । ଦ୍ରୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟର ରାଷ୍ଟ୍ରପତି ପ୍ରାର୍ଥୀ । ତେଣୁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବାପାଇଁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଜାରି କରିଥିଲା କଂଗ୍ରେସ । ହେଲେ ଦଳର ନିର୍ଦ୍ଦେଶକୁ ନମାନି ଦ୍ରୌପଦୀଙ୍କୁ ମୋକିମ ଭୋଟ୍ ଦେଇଥିବାରୁ ଏନେଇ ହାଇକମାଣ୍ଡଙ୍କୁ ଜଣାଇ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ମତଦାନକୁ ରହିଛି କ’ଣ ନିୟମ?
– ରାଷ୍ଟ୍ରପତି ନିର୍ବଚନରେ ଦଳୀୟ ହୁଇପ ଜାରି ହୋଇପାରିବ ନାହିଁ
– ନିଜ ବିବେକ ଅନୁସାରେ ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବେ ସାଂସଦ, ବିଧାୟକ
– ଏ ସଂପର୍କୀତ ନିୟମ ବାବଦରେ ପୂର୍ବରୁ ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ୍
– କୌଣସି ଦଳ ଖିଲାପ କଲେ ଆଇପିସିର ଧାରା-୧୭୧(ସି)ରେ କାର୍ଯ୍ୟାନୁଷ୍ଠାନ ହେବ

ନିୟମ ଅନୁସାରେ କ୍ରସ ଭୋଟିଂ କରିଥିବାରୁ ମହମ୍ମଦ ମୋକିମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । କିନ୍ତୁ ସେ ଦଳର ନିର୍ଦ୍ଦେଶ ମାନିନଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ଦିନରୁ କଂଗ୍ରେସଠାରୁ ଦୂରେଇ ଯାଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା ପରେ ସୁଦର୍ଶନ ଦାସଙ୍କ ବାଲୁକା କଳାର ଏକ ଫଟୋକୁ ଟ୍ୱିଟ କରିଥିଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । ବ୍ୟକ୍ତିଗତ କ୍ଷତି ସତ୍ୱେ ଦ୍ରୌପଦୀ ଖୁବ ଉଚ୍ଚ ସ୍ଥାନକୁ ଯାଇପାରିଥିବା ଲେଖିଥିଲେ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ ତାଙ୍କୁ ଭୋଟ୍ ଦେବାପାଇଁ ବାପାଙ୍କୁ କହିବେ କି ବୋଲି ପ୍ରଶ୍ନ କରିଥିଲେ । ଯାହାର ଉତରରେ ସୋଫିଆ ହଁ କରିବି ବୋଲି ଉଲ୍ଲେଖ କରିଥିଲେ । ତେଣୁ ଝିଅ ପ୍ରତି ଭଲପାଇବା ନା ପିସିସି ସଭାପତିଙ୍କ ସହ ମତଭଦେ କାରଣରୁ ମୋକିମ ଏଭଳି ନିଷ୍ପତି କଲେ ତାକୁ ନେଇ ଏବେ ଚର୍ଚ୍ଚା ।