ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ : ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିଲେ ୪ଟି ଦାବି, କହିଲେ ତୃତୀୟ ସାମ୍ମୁଖ୍ୟରେ ନାହିଁ ବିଜେଡି

199

କନକ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତୃତୀୟ ସାମୁଖ୍ୟରେ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାକୁ ନେଈ ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଯାହା କହିଛନ୍ତି ତ।।ହା ଦ୍ୱନ୍ଦ ବଢାଇଦେଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ନବୀନଙ୍କୁ ଭେଟିବା ପରେ ସମସ୍ତଙ୍କ ନଜର ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନବୀନଙ୍କ ଭେଟଘାଟକୁ । କାରଣ ମୋଦୀ ବିରୋଧୀ ମେଣ୍ଟ ପାଇଁ ଦେଶର ତୁଙ୍ଗନେତାମାନେ ନବୀନଙ୍କୁ ଭେଟୁଛନ୍ତି ।

ଆଉ ଏ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ବିରୋଧୀ ସାମୁଖ୍ୟ ନେଇ ଉଠୁଥିବା ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ମାକ୍ଷାତ ଥିଲା । କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ପ୍ରଧାନମନ୍ତ୍ରୀଙ୍କ ନିକଟରେ ୪ଟି ଦାବି ରଖିଛି ଓଡ଼ିଶା । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ, ଭାରତ ନେଟ୍ ଫେଜ୍-୨ରେ ଓଡ଼ିଶାକୁ ସାମିଲ, ଅସଂପୂର୍ଣ୍ଣ ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ଶୀଘ୍ର ଶେଷ କରିବା, ଓଡ଼ିଶାର ୩,୯୫୪ ଗ୍ରାମ ପଂଚାୟତରେ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ଦାବି କହଛନ୍ତି ନବୀନ ।

ନବୀନ-ମୋଦୀଙ୍କ ଭେଟଘାଟ, ରାଜନୈତିକ ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ, ତାହାହିଁ ବଡ଼ ପ୍ରଶ୍ନ । ଯଦିଓ ନବୀନ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ତଥାପି ଏଥିରେ ରାଜନୈତିକ ଗନ୍ଧ ବାରିଛନ୍ତି ସମୀକ୍ଷକ । ଅନ୍ୟପଟେ ସମଦୂରତାର ରାଜନୀତିରେ ଅଟକି ରହିଛନ୍ତି ବିଜେଡି ସୁପ୍ରିମୋ । ତେବେ ଏହାକୁ ସଂଦେହ ଦୃଷ୍ଟିରେ ଦେଖିଛି କଂଗ୍ରେସ । ଓଡ଼ିଶାରେ କଳି ଚାଲିଥିବା ବେଳେ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି ବିଜେଡି ଓ ବିଜେିପି, ଏପରି କହି କଟାକ୍ଷ କରିଛନ୍ତି କଂଗ୍ରେସ । ତେବେ ବିଜେଡି କହିଛି, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଭିତରେ ଭଲ ସଂପର୍କ ରହିଲେ, ରାଜ୍ୟର ବିକାଶ ହେବ ।