୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର । ବଢିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍-ଏଡ୍ । ଜାଣନ୍ତୁ, ଅନ୍ୟ କେଉଁ ପ୍ରସ୍ତାବକୁ ମିଳିଲା ଅନୁମୋଦନ…

5,017

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବ ଉପରେ ଆଜି ମୋହର ବାଜିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ତେବେ ଏହି ପ୍ରସ୍ତାବ ଭିତରେ ଦୁଇଟି ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଥିବାବେଳେ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ପିଛିଲା ଭାବେ ଲାଗୁ କରାଯାଇଛି । ଯାହାକି ୨୦୨୨ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ ।

ଅନ୍ୟପଟେ ଯାଜପୁରର ବରି ଓ କୋରେଇ ବ୍ଲକରେ ନିର୍ମାଣ ହେବ ଦୁଇଟି ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ । ଏହି ଦୁଇଟି ବ୍ଲକରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ୫ ବର୍ଷ ଭିତରେ ଶେଷ ହେବ । ସେହିପରି ନୟାଗଡର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ୩ଟି ପାନୀୟ ଜଳ ପ୍ରକଳ୍ପ ହେବ । ତା ସହିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ୪ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲାର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।

ସେପଟେ ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ବଢିଛି । ୨୦୨୨ ମସିହା ଜାନୁଆରୀ ୧ ତାରିଖରୁ ଏହା ଲାଗୁ ହେବ । ଏନେଇ ଆଜି ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଯାଇଛି । ସେହିପରି BSSCCRI ର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ କରାଯିବ । ତା ସହିତ ଓବିସି କମିଶନ ଆଇନରେ ମଧ୍ୟ ସଂଶୋଧନ ହେବ । ଏନେଇ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ବ୍ରିଜ୍ ନିର୍ମାଣ ହେବ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିସାରିଥିିବାବେଳେ, ଏବେ ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ସେପଟେ ଓଡିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ, ଜିଏସଟି, ବାଣିଜ୍ୟ କର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧନିୟମରେ ସଂଶୋଧନ ହୋଇଛି । ତା ସହିତ ଓଡିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମ, ଓଏସଜେଏସ୍ ଏବଂ ଓଜେଏସ୍ ସେବା ଅଧିନିୟମରେ ମଧ୍ୟ ସଂଶୋଧନ ହେବା ନେଇ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାସହିତ ଖଣି, ଭୂତତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହେବା ନେଇ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ।