ଜାମ୍ମୁ-କାଶ୍ମୀରରେ ଭାରତ ଯୋଡ ଯାତ୍ରା, ହାଇଆଲର୍ଟ ଭିତରେ ଦୁଇଟି ବିସ୍ଫୋରଣ

163

କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରାର ଶେଷ ପର୍ଯ୍ୟାୟ ଏବେ ଜାମ୍ମୁ-କାଶ୍ମୀରରେ ଚାଲିଛି । ଏହି କ୍ରମରେ ସେଠାରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ଆଜି ଆତଙ୍କବାଦୀମାନେ ଦୁଇଟି ବିସ୍ଫୋରଣ କରିଛନ୍ତି । ଏଥିରେ ୬ଜଣ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଜମ୍ମୁର ରେଳଷ୍ଟେସନ ନିକଟ ନରବାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ହୋଇଛି । ଏଥିରେ ୬ଜଣ ଲୋକ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି, ଏହି ବିସ୍ଫୋରଣ କାହାଦ୍ୱାରା କରାଯାଇଛି ।

ପୋଲିସର କହିବା ମୁତାବକ ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତା’ର ଆଖପାଖ ଅଞ୍ଚଳରେ ଅନେକ କବାଡିଆ ଦୋକାନ ରହିଛି । ପ୍ରାଥମିକ ତଦନ୍ତରୁ ଏହି କବାଡିଆ ଦୋକାନରୁ ବିସ୍ଫୋରଣ ହୋଇଥିବା ପୋଲିସ ଅନୁମାନ କରିଛି । ପୋଲିସ ଘଟଣା ସ୍ଥଳକୁ ଘେରାବନ୍ଦୀ କରି ରଖିଛି । ଏହାସହ ଆହାତମାନଙ୍କୁ ମେଡିକାଲ ପଠାଯାଇଛି । ଅନୁମାନ କରାଯାଉଛି କି ପୁରୁଣା ଗାଡି ଭିତରେ ଆଇଡି ଲଗାଇ ବିସ୍ଫୋରଣ କରାଯାଇଛି ।