ଗୃହରେ ଉଠିଲା ଋଣଭାର ପ୍ରସଙ୍ଗ: ଆପଣଙ୍କ ମୁଣ୍ଡପିଛା ଏବେ କେତେ ଅଛି ଋଣ? ଉତ୍ତର ରଖିଲେ ଅର୍ଥମନ୍ତ୍ରୀ…

220

କନକ ବ୍ୟୁରୋ: ବଜେଟ୍ ପ୍ରଶ୍ନକାଳରେ ଗୃହରେ ଉଠିଲା ରାଜ୍ୟର ଋଣଭାର ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୪ ପୃଷ୍ଠା ସମ୍ବଳିତ ଏକ ଲମ୍ବା ଉତ୍ତରରେ ନିରଞ୍ଜନ କହିଛନ୍ତି, ରାଜ୍ୟ ଋଣ ଭାରରେ ବୁଡ଼ିନି । କାରଣ ରାଜ୍ୟଠୁ କେନ୍ଦ୍ରର ଋଣଭାର ଅଧିକ ରହିଛି । କେନ୍ଦ୍ରର ବଜେଟ ଅନୁଯାୟୀ ୨୫ ପ୍ରତିଶତ ଋଣଭାର ରହିଛି । ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ ।

ଏପରିକି ରାଜ୍ୟର ମୁଣ୍ଡପିଛା ଋଣଭାର ବର୍ତ୍ତମାନ ୨୨ହଜାର ୪୨ ଟଙ୍କା ରହିଛି ବୋଲି ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ । ଏହାକୁ ନେଇ ଗୃହରେ ତାରା କହିଛନ୍ତି କି, କଂଗ୍ରେସ ସମୟରେ ରାଜ୍ୟରେ ମୁଣ୍ଡପିଛା ଋଣଭାର ୫ ହଜାର ବି ଛୁଇଁନଥିଲା । ହେଲେ ଋଣଭାର ଋଣଭାର ବୋଝ ହେଲାଣି କହି ଏମାନେ ସରକାରକୁ ଆସିଲେ । ବିକାଶ ଏକ ପ୍ରକ୍ରିୟା ହେଲେ ଲକ୍ଷେ କୋଟି ଟଙ୍କା ଋଣଭାରରେ ଓଡ଼ିଶା ସରକାର ଏବେ ବୁଡ଼ିଛନ୍ତି । ଯାହା ରାଜ୍ୟର ମୁଣ୍ଡପିଛା ୨୨ ହଜାର ଟପିଲାଣି, ଏହାକୁ କମାଇବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । କାରଣ ଉନ୍ନତି ହେଉଛି ବୋଲି ବାହାନ ଦେଖାନ୍ତୁନି, ସେତେବେଳେ ସୁନା ଥିଲା ୩ ହଜାର ଟଙ୍କା ଏବେ ୬୦ ହଜାର ହେଲାଣି ତେଣୁ ରାଜ୍ୟବାସୀଙ୍କୁ ଋଣମୁକ୍ତ କରନ୍ତୁ ବୋଲି ଗୃହରେ ତାରା କହିଛନ୍ତି ।