ଗ୍ରେଡ୍ ପେ’ ଓ ଦରମା ବୃଦ୍ଧି ଦାବିରେ ଅମଲା ସଂଘର ମହାଆନ୍ଦୋଳନ : କିରାଣିମାନେ ସାମୂହିକ ଛୁଟିରେ ରହି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ପ୍ରତିବାଦ

924

କନକ ବ୍ୟୁରୋ : ଗ୍ରେଡ୍ ପେ’ ଓ ଦରମା ବୃଦ୍ଧି ନେଇ ରାଜ୍ୟବାପୀ ଅମଲା ସଂଘର ମହାଆନ୍ଦୋଳନ ଜାରି ରହିଛି । ଆଜିଠାରୁ ସମଗ୍ର ରାଜ୍ୟରେ କିରାଣିମାନେ ସାମୂହିକ ଛୁଟିରେ ରହି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି । ଦେବଗଡ଼ରେ କଡା ପଦକ୍ଷେପ ନେଇଛି ଅମଲା ସଂଘ । ଦେବଗଡ଼ ଶାଖା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଅଧିକାରୀ ଛୁଟିରେ ଯାଇଛନ୍ତି । ଫଳରେ ଦେବଗଡ଼ରେ ମମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟରେ ସରକାରୀ ଅଧିକାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗ୍ରେଡ୍-ପେ ପ୍ରଦାନ ଦାବିରେ କିରାଣୀମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଫଳରେ ସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇପଡିଥିବା ବେଳେ ସରକାରୀ କାର୍ଯ୍ୟ ବନ୍ଦ ରହିଛି । ସମ୍ବଲପୁରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଶତାଧିକ ସରକାରୀ କର୍ମଚାରୀ । ୪ହଜାର ୨୦୦ ଗ୍ରେଡ୍ ପେ’ ଦାବିରେ ସାମୂହିକ ଛୁଟିରେ ଯାଇଛନ୍ତି ଜିଲ୍ଲାର ଅମଲା । ସେହିପରି ସୋନପୁରର ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ କରାଯାଇଛି । ସକାଳୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ ।

ସମାନ କାମକୁ ସମାନ ଦରମା, ଯୋଗ୍ୟତା ଭିତିରେ ପଦୋନ୍ନତି ଓ ଗ୍ରେଡ୍ ପେ’ ୪ରୁ ୯କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ମିଳିତ ଅମଲା ମଂଚର ଜିଲ୍ଲା ସଭାପତି, ସମ୍ପାଦକଙ୍କ ଅଧ୍ୟକ୍ଷତାରେ ଏହି ଆନ୍ଦୋଳନ ଜାରି ରହିଛି । ଯୋଗ୍ୟତା ଭିତିକ ଓଆରଏସପି ୨୦୧୭ ପେ ମ୍ୟାଟ୍ରିକ୍ସ ଅନୁଯାୟୀ, ଲେବେଲ-୯ ଗ୍ରେଡ୍-ପେ ୪୨୦୦ ଟଙ୍କା ଦାବିରେ ଆନ୍ଦୋଳନ ଜାରି ରଖିଛି ଅମଲା ସଂଘ । ଏହି ଦାବି ନେଇ ଗତ ଏପ୍ରିଲ ମାସରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲା ଅମଲା ସଂଘ । ପରେ ମେ ୨୨ରୁ ୨୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ । ହେଲେ କିଛି ସୁଫଳ ନମିଳିବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଥିବା ସୂଚନା ମିଳିଛି ।