ମାର୍କେଟ ବିଲ୍ଡିଂକୁ ଅଡୁଆ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ: ସମାଧାନ ପାଇଁ ଅଧିକ ସମୟ ମାଗିଲେ ବିଏମ୍ସି କମିଶନର

132

କନକ ବ୍ୟୁରୋ: ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ମାର୍କେଟ୍ ବିଲ୍ଡିଂ । ଏ ପ୍ରସଙ୍ଗରେ ମାର୍କେଟ୍ ବିଲ୍ଡିଂ ବ୍ୟବସାୟୀ ସଂଘ ସହ କୌଣସି ଆଲୋଚନା କଲେ ନାହିଁ ବିଏମ୍୍ସି । ଯାହାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ୍ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ମାର୍କେଟ୍ ଆସୋସିଏସନ୍ ସଭାପତି ସୂଚନା ଦେଇଛନ୍ତି । ସ୍ଥାୟୀ – ଅସ୍ଥାୟୀ ଦୋକାନୀଙ୍କୁ ନେଇ ମାର୍କେଟ୍ ବିଲ୍ଡିଂରେ ବିବାଦ ଜାରି ରହିଛି । ଉଠା ଦୋକାନୀଙ୍କୁ ମାର୍କେଟ୍ ବିଲ୍ଡିଂ ପରିସରରୁ ଉଠାଇବା ପାଇଁ ସ୍ଥାୟୀ ଦୋକାନୀ ଦାବି କରି ଆସୁଛନ୍ତି । ତିନି ଦିନ ଭିତରେ ସମସ୍ୟା ସମାଧାନ ନହେଲେ ମାର୍କେଟ୍ ବିଲ୍ଡିଂ ବନ୍ଦ କରିବାକୁ ଧମକ ଦେଇଥିଲେ ସ୍ଥାୟୀ ବ୍ୟବସାୟୀ ସଂଘ । ସେପଟେ ସମସ୍ୟାର ସମାଧାନ ପାଇଁ ଅଧିକ ସମୟ ମାଗିଥିଲେ ଭୁବନେଶ୍ୱର ମୁନସିପାଲ କର୍ପୋରେସନ୍ ।

ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମାର୍କେଟ ବିଲ୍ଡିଂରେ ଶସ୍ତାରେ ମିଳୁଥିବାରୁ ପ୍ରତ୍ୟେକ ଦିନ ଏଠାରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଥାଏ । ପାଖରେ ୧ ନମ୍ବର ହାଟ ଥିବାରୁ ଲୋକେ ଉଭୟ ବଜାରରେ କିଣାକିଣି କରିବାକୁ ଲୋକେ ପସନ୍ଦ କରିଥାନ୍ତି ।

ଭୁବନେଶ୍ୱର ମଧ୍ୟଭାଗରେ ଥିବା ଜଗଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ । ସବୁଆଡେ ଖାଁ ଖାଁ ପରିବେଶ । ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟ ବିବାଦର ସମାଧାନ ନ ହେବାରୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ସେଂଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ଆଉ ଧାରଣାରେ ବସିଛନ୍ତି ୧୫୦ରୁ ଅଧିକ ବ୍ୟବସାୟୀ । ସମସ୍ୟା ସମାଧାନ ଲାଗି ବିଏମସିକୁ ୩ ଦିନ ସମୟ ଦେଇଥିଲା ବ୍ୟବସାୟୀ ସଂଘ । କିନ୍ତୁ ପ୍ରତିଶ୍ରୃତି ମୁତାବକ ଉଠାଦେକାନୀଙ୍କୁ ବିଏମସି ଉଠାଇପାରିନଥିବାରୁ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରଖିଛି ବ୍ୟବସାୟୀ ସଂଘ ।

ଦେଖିବାକୁ ଗଲେ, ପ୍ରଥମ ଥର ଲାଗି ମାର୍କେଟ ବିଲ୍ଡିଂ ବନ୍ଦ ହୋଇନାହିଁ । ସମାନ କାରଣ ପାଇଁ ବଜାର ଜାନୁାଆରୀରେ ଦୁଇଦିନ ପାଇଁ ବନ୍ଦ ରହିଥିଲା । ବିଏମସି ଉଠାଦେକାନୀଙ୍କୁ ଉଠାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା । ବିଏମସି ଲଗାତାର ଚଢାଉ କରି ଉଠାଦେକାନୀଙ୍କୁ ହଠାଉଥିଲେ ବି ପୁଣି ସେମାନେ ସେଠାରେ ସେମାନେ ବସିଯାଉଥିଲେ । ଇତିମଧ୍ୟରେ କିିଛି ବ୍ୟବସାୟୀ କୋର୍ଟ ଯାଇଥିଲେ । କୋର୍ଟ ସେମାନଙ୍କୁ ନହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବିଏମସି ଉଚ୍ଛେଦ କାମ ବନ୍ଦ କରିଦେଇଥିଲା । ଆଉ ବିବାଦ ବଢିବା ପରେ ମାର୍କେଟ ବିଲ୍ଡିଂକୁ ବନ୍ଦ କରିଦେଇଛନ୍ତି ବ୍ୟବସାୟୀ ସଂଘ । ତେବେ ଏହି ପ୍ରସଙ୍ଗରେ ପୁଣି ସମୟ ମାଗିଛନ୍ତି ବିଏମସି କମିଶନର ।

ମାର୍କେଟ ବିଲ୍ଡିଂରେ ପ୍ରାୟ ୨ ଶହ ଉଠାଦେକାନୀ ବସିଛନ୍ତି, ଯାହାକୁ ବ୍ୟବସାୟୀ ବିରୋଧ କରୁଛନ୍ତି । ଆଉ ମାର୍କେଟ ବିଲ୍ଡିଂ ବନ୍ଦ ହେବା ଫଳରେ ଗ୍ରାହକ ଚିନ୍ତାରେ ଅଛନ୍ତି । ବଡ ବଡ ବ୍ୟବସାୟ ପ୍ରତିଷ୍ଠାନରେ ଥିବା କର୍ମଚାରୀ ବି ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି । ବ୍ୟବସାୟ ବି ପ୍ରଭାବିତ ହେବା ଆଶଙ୍କା ରହିଛି । ପ୍ରଶ୍ନ ଉଠୁଛି, ବିଏମସି ବିବାଦର ସମାଧାନ କରିବ କେବେ ।